Unknown

 

 

 

 

 

 

 

 

 

ପ୍ରଣୟର ଅଦ୍ଭୁତ ପରିଣାମ

ଭକ୍ତକବି ମଧୁସୂଦନ ରାଓ

 

ସିସିଲି ସମ୍ରାଟ୍‍ ରଜରଙ୍କର ଏକ କନିଷ୍ଠ ସହୋଦର ଏବଂ ସହୋଦରା ଥିଲେ । ସହୋଦରର ନାମ ମେନଫ୍ରି । ସେ ଏକଦା ରାଜ୍ୟ ମଧ୍ୟରେ ବିଦ୍ରୋହାନଳ ପ୍ରଜ୍ୱଳିତ କରି ସ୍ୱୟଂ ବିଦ୍ରୋହୀ ଦଳର ନେତା ହେଲେ । ଅନେକ କାଳଯାଏ ଘୋରତର ଯୁଦ୍ଧ ହେଲା । ମେନଫ୍ରି ଆପଣା ରଣକୌଶଳଦ୍ୱାରା ଅନେକ ଯୁଦ୍ଧରେ ଜୟୀ ହେଲେ; ମାତ୍ର ଶେଷକୁ ପରାଭୂତ ହୋଇ ଜ୍ୟେଷ୍ଠଙ୍କ ହାତରେ ପଡ଼ିଲେ । ସମ୍ରାଟ୍‌ ଅନୁଜଙ୍କୁ କେବଳ କାରାବରୋଧର ଅନୁମତି ଦେଲେ । ପ୍ରଜାମାନେ ଏଥିରେ ସନ୍ତୁଷ୍ଟ ନ ହୋଇ ବରଂ ରଜରଙ୍କୁ କ୍ରୂରସ୍ୱଭାବ ମଣିଲେ । ସେମାନେ ପାଞ୍ଚିଲେ ଯେ ରାଜା ଅନୁଜଙ୍କୁ ଅଧୀକତର କଷ୍ଟଦେବା ମାନସରେ ତାଙ୍କ ପ୍ରାଣଦଣ୍ଡର ଆଦେଶ ନ ଦେଇ କାରାବରୁଦ୍ଧ କରିଅଛନ୍ତି । ବାସ୍ତବରେ ମେନିଫ୍ରିଙ୍କୁ କାରାଗୃହରେ ଭୟଙ୍କର ଯାତନା ଭୋଗ କରିବାକୁ ହେଲା ।

ସମ୍ରାଟ୍‌ଙ୍କର ସହୋଦରାର ନାମ କନ୍‌ଷ୍ଟାନ୍ସିଆ । କନ୍‌ଷ୍ଟାନ୍ସିଆ ବାଲ୍ୟକାଳରୁ ନିଜ ସହୋଦର ମେନଫ୍ରିଙ୍କୁ ଅଶ୍ରଦ୍ଧା କରୁଥିଲେ । କ୍ରମଶଃ ନାନା କାରଣରୁ ସେହି ଅଶ୍ରଦ୍ଧା ବଢ଼ିବାକୁ ଲାଗିଲା । ମେନଫ୍ରି ଯେଉଁ କାଳରେ କାରାବଦ୍ଧ ହେଲେ, ତାଙ୍କୁ କଷ୍ଟଦେବା ନିମନ୍ତେ ନିଷ୍ଠୁରା କନ୍‌ଷ୍ଟାନ୍ସିଆ ଉପଯୁକ୍ତ ଅବସର ଲଭିଲେ । ଫଳତଃ ମେନଫ୍ରିଙ୍କର କଷ୍ଟର ସୀମା ରହିଲା ନାହିଁ । କଷ୍ଟର ପ୍ରାବଲ୍ୟ ହେତୁରୁ କାରାଗାରରେ ତାଙ୍କର ମୃତ୍ୟୁ ହେଲା ।

ମେନଫ୍ରି ସଂସାରରେ ଏକମାତ୍ର ପୁତ୍ର ରଖି ମାନବଲୀଳା ସମ୍ବରଣ କଲେ । ତାଙ୍କର ମୃତ୍ୟୁବଳେ ପୁତ୍ରଟି ଶୈଶବାବସ୍ଥା ଅତିକ୍ରମ କରି ନ ଥିଲା । ଉପରଲିଖିତ ବିଦ୍ରୋହ ଘଟନାରେ ସମ୍ରାଟ୍‌ ରଜର ଅତ୍ୟନ୍ତ ଭୀତ ହୋଇଥିଲେ । କାଳେ ମେନଫ୍ରିଙ୍କ ପୁତ୍ର ପ୍ରାପ୍ତବୟସ୍କ ହେଲେ ପିତୃମୃତ୍ୟୁର ପ୍ରତିବିଧାନ ନିମନ୍ତେ ପୁଣି ବିଦ୍ରୋହ ଉପସ୍ଥିତ କରିବ, ଏହି ଆଶଙ୍କାରେ ସମ୍ରାଟ୍‌ ତାହାକୁ ଗୋପନରେ ବଧ କରିବାର ସଂକଳ୍ପ କଲେ ଏବଂ ସେହି ସଂକଳ୍ପ ସିଫ୍ରେଡି ନାମକ ଜଣେ ବିଶ୍ୱସ୍ତ ମନ୍ତ୍ରୀଙ୍କୁ ଜଣାଇଲେ । ମନ୍ତ୍ରୀ ରଜରଙ୍କୁ ସେ କ୍ରୂର ସଂକଳ୍ପରୁ ନିବୃତ୍ତ କରାଇ ମେନଫ୍ରିଙ୍କ ପୁତ୍ର ହେନେରିର ଲାଳନପାଳନାଦିର ଭାର ସ୍ୱୟଂ ଗ୍ରହଣ କଲେ । କି ପ୍ରକାରେ ହେନରି ସୁଶିକ୍ଷିତ ହୋଇ ରାଜାଙ୍କର ବଶବର୍ତ୍ତୀ ହେବେ, ଏଥିନିମନ୍ତେ ଯତ୍ନ କରିବା ସକାଶେ ମନ୍ତ୍ରୀ ସମ୍ରାଟ୍‌ଙ୍କ ଦ୍ୱାରା ବିଶେଷରୂପେ ଆଦିଷ୍ଟ ହୋଇଥିଲା ।

ସମ୍ରାଟ୍‌ଙ୍କ ସହୋଦରାର ଗୋଟିଏ କନ୍ୟା ଥିଲା । ତାହାର ନାମ ଡିଏନା । ସମ୍ରାଟ୍‍ ଡିଏନାର ଲାଳନପାଳନଭାର ସ୍ୱୟଂ ଗ୍ରହଣ କଲେ ଏବଂ ତାହାଙ୍କୁ ସର୍ବଗୁଣାଳଙ୍କୃତା କରିବାକୁ ସଚେଷ୍ଟ ହେଲେ ।

ରାଜଧାନୀର ପ୍ରାୟ ପାଞ୍ଚ କ୍ରୋଶ ଦୂରରେ ବେଲମଣ୍ଟ୍‍ ନାମକ ସ୍ଥାନରେ ମନ୍ତ୍ରୀବର ସିଫ୍ରେଡିଙ୍କର ଗୋଟିଏ ଦୁର୍ଗ ଥିଲା । ହେନରି ସେହି ସ୍ଥାନକୁ ନୀତ ହେଲେ । ସିଫ୍ରେଡିଙ୍କର ଗୋଟିଏ କନ୍ୟା ଥିଲା । ତାଙ୍କ ପତ୍ନୀ ବହୁଦିନରୁ ପରଲୋକ ଗମନ କରିଥିବାରୁ ସିଫ୍ରେଡି ସ୍ୱୟଂ କନ୍ୟାର ରକ୍ଷଣାବେକ୍ଷଣ କରୁଥିଲେ । କନ୍ୟାର ନାମ ମାଟିଲ୍‍ଡ଼ା । ସେ ପରମ ରୂପବତୀ ଥିଲେ । ହେନରି ଏବଂ ମାଟିଲ୍‌ଡା ଏକତ୍ର ଶିକ୍ଷାରମ୍ଭ କଲେ । ଦୁହେଁ ଅସାଧାରଣ ବୁଦ୍ଧି ଏବଂ ମେଧା ପ୍ରଭାବରୁ ବିବିଧ ବିଦ୍ୟାରେ ପାରଦର୍ଶୀ ହେବାକୁ ଲାଗିଲେ । ସତ୍‌ପାତ୍ରରେ ଯତ୍ନ ସମାହିତ ହେଲେ କେବେହେଁ ବିଫଳ ହୁଏ ନାହିଁ । ଉଭୟେ ଏକତ୍ର ଅଧ୍ୟୟନ, ଏକତ୍ର କ୍ରୀଡ଼ା କରନ୍ତି । ହେନରି ଏବଂ ମାଟିଲ୍‌ଡା କାଳକ୍ରମେ ଯୌବନପଦବୀରେ ପଦାର୍ପଣ କଲେ । ଯୌବନକାଳରେ ଯୁବତୀ ଯୁବକ ମଧ୍ୟରେ ଯଦି ପରସ୍ପର ସ୍ନେହ ସଞ୍ଚାର ହୁଏ, ତାହାହେଲେ ସେହି ସ୍ନେହ ଅତି ଶୀଘ୍ର ପ୍ରଣୟରୂପେ ପରିଣତ ହୁଏ । ଉଭୟଙ୍କର ମନ ପ୍ରଣୟପ୍ରବଣ ହେଲା; କିନ୍ତୁ ସିଫ୍ରେଡି ସତର୍କହୋଇ ନିଜ କନ୍ୟାର ଆଚରଣ ଉପରେ ସର୍ବଦା ଦୃଷ୍ଟି ରଖୁଥିଲେ । ସମ୍ପ୍ରତି କନ୍ୟାର ଯୌବନାଗମ ଦେଖି ତାଙ୍କୁ ହେନରି ସଙ୍ଗେ ଉପବେଶନାଦି କରିବାକୁ ଦେଲେ ନାହିଁ । ମାତ୍ର ସିଂହ ଶାର୍ଦ୍ଦୂଳ ଯେଉଁ ମାର୍ଗରେ ବିଚରଣ କରିବାକୁ ସାହସୀ ହୁଅନ୍ତି ନାହିଁ, ପ୍ରଣୟ ସେପରି ମାର୍ଗରେ ସୁଦ୍ଧା ନିର୍ଭୀକ ହୋଇ ଭ୍ରମଣ କରେ । ହେନରି କେତେ କେତେବେଳେ ଗୋପନରେ ମାଟିଲ୍‍ଡ଼ା ସଙ୍ଗେ ସାକ୍ଷାତ୍‍ କରି ହୃଦୟରେ ଉତ୍କଣ୍ଠା ନିବାରଣ କରନ୍ତି । ଦିନେ ହେନରି ପରସ୍ପର ସାକ୍ଷାତର ଗୋଟିଏ ଉପାୟ ଉଦ୍ଭାବନ କରି ମାଟିଲ୍‌ଡାଠାରେ ବ୍ୟକ୍ତ କଲାରୁ ସେ ତହିଁରେ ସମ୍ମତ ହେଲେ । ସମ୍ରାଟ୍‍ ସିଫ୍ରେଡିଙ୍କୁ କୌଣସି ରାଜକାର୍ଯ୍ୟରେ ବିଦେଶକୁ ଯିବାକୁ ଆଦେଶ କଲେ । ତାଙ୍କ ଅନୁପସ୍ଥିତି ସମୟରେ ହେନରି ଜଣେ ସୁଦକ୍ଷ ଶିଳ୍ପୀ ଅଣାଇ ମାଟିଲ୍‌ଡାର ପ୍ରକୋଷ୍ଠକୁ ଯିବା ନିମନ୍ତେ ଗୋଟିଏ ପ୍ରଚ୍ଛନ୍ନ ଦ୍ୱାର ଖୋଳାଇଲେ । ଏହି ଗୁପ୍ତଦ୍ୱାର ଏପରି କୌଶଳରେ ନିର୍ମିତ ହୋଇଥିଳା ଯେ; କେହି ତାହାର ଅସ୍ତିତ୍ୱ ସୁଦ୍ଧା ତର୍କଣା କରିପାରିବ ନାହିଁ । ହେନରି ଏହି ଉପାୟ ଦ୍ୱାରା ମାଟିଲ୍‌ଡା ସଙ୍ଗେ ପ୍ରତିଦିନ ସାକ୍ଷାତ କରନ୍ତି । ଏହି ପ୍ରକାରେ ତରୁଣ-ତରୁଣୀଙ୍କର ଅନୁରାଗ ବଢ଼ିବାକୁ ଲାଗିଲା ।

ଦିନେ ହେନରି ସନ୍ଧ୍ୟା ସମୟରେ ମାଟିଲ୍‌ଡା ନିକଟକୁ ଗଲେ । ଦେଖିଲେ, ମାଟିଲ୍‌ଡା ନିଜ ସ୍ୱାଭାବିକ ପ୍ରଫୁଲ୍ଲତା ତ୍ୟାଗକରି ବିଷର୍ଣ୍ଣଭାବରେ ବସିଅଛନ୍ତି । ମାଟିଲ୍ଡ଼ା ସମ୍ରାଟ୍‍ଙ୍କର ଉତ୍କଟ ପୀଡ଼ା ହୋଇଥିବାର ସମ୍ବାଦ ପାଇଥିଲେ । ତାଙ୍କର ଆଉ ବଞ୍ଚିବାର ପ୍ରତ୍ୟାଶା ନ ଥିଲା । ତାହାଙ୍କର ମୃତ୍ୟୁ ହେଲେ ହେନରି ଅବଶ୍ୟ ରାଜସିଂହାସନ ଅଧିକାର କରିବେ । ହେନରି ରାଜପଦରେ ପ୍ରତିଷ୍ଠିତ ହୋଇ କାଳେ ମାଟିଲ୍‌ଡାକୁ ପାସୋରି ପକାଇବେ, ଏହି ଆଶଙ୍କାରେ ମାଟିଲ୍‌ଡା ଏପରି ଶୋକାନ୍ୱିତ ହୋଇ ବସିଥିଲେ । ହେନରି ତାଙ୍କର ଶୋକର ହେତୁ ବୁଝି ନ ପାରି ବିସ୍ମୟାବିଷ୍ଟ ହୋଇ ପଚାରିଲେ, ‘‘ମାଟିଲ୍‍ଡ଼ା ! ତୁମ୍ଭର ଏପରି ଭାବ ଦେଖି ହୃଦୟ ଅତ୍ୟନ୍ତ ବ୍ୟାକୁଳ ହେଉଅଛି, ମନରେ ନାନାବିଧ ଅନିଷ୍ଟ ଆଶଙ୍କାର ଉଦୟ ହେଉଅଛି, ଶୀଘ୍ର ଦୁଃଖର କାରଣ ବ୍ୟକ୍ତ କରି ମୋ ଉତ୍କଣ୍ଠା ଦୂର କର ।’’ ମାଟିଲ୍‍ଡ଼ା ଖେଦୋଦ୍‌ବୋଧକ ସ୍ୱରରେ କହିଲେ, ‘‘ମହାଭାଗ ! ମୋ ମନୋଦୁଃଖ ଗୋପନ କରିବା ନିମନ୍ତେ ବିସ୍ତର ପ୍ରୟାସ କଲି; ମାତ୍ର ଗୋପନ କରିବା ମୋ ପକ୍ଷରେ ଅସାଧ୍ୟ ହେଲା । ଆପଣଙ୍କ ଜ୍ୟେଷ୍ଠତାତ ଉତ୍କଟ ରୋଗଗ୍ରସ୍ତ ହୋଇଅଛନ୍ତି । ରୋଗରୁ ମୁକ୍ତ ହେବାର ସମ୍ଭାବନା ନାହିଁ । ସୁତରାଂ ଆପଣ ଆଶୁ ରାଜମୁକୁଟ ଗ୍ରହଣ କରିବେ । ଆପଣଙ୍କ ଭାବୀ ଅଭ୍ୟୁଦୟ ସହିତ ମୋର ସାମାନ୍ୟ ଅବସ୍ଥା ତୁଳନା କଲେ, ହୃଦୟ ନୈରାଶ୍ୟଜଳଧିରେ ନିମଗ୍ନ ହୁଏ । ସଂପ୍ରତି ଆପଣଙ୍କର ହୃଦୟ ଏକପ୍ରକାର, ରାଜପଦପ୍ରାପ୍ତି ମାତ୍ରେ ଆନ ପ୍ରକାର ହେବ । ଲୋକେ ଅଭ୍ୟୁଦୟକାଳରେ ପୂର୍ବକଥା ପାସୋରି ପକାନ୍ତି । ପୂର୍ବେ ଯାହାକୁ ପ୍ରିୟତମ ବୋଲି ମଣିଥାନ୍ତି, ସୌଭାଗ୍ୟବେଳେ ତାହାକୁ ଆଉ ପଚାରନ୍ତି ନାହିଁ । ସାମାନ୍ୟ ଅଭ୍ୟୁଦୟରେ ତ ଏପରି ଘଟେ; ଆପଣ ପୁଣି ରାଜପଦରେ ପ୍ରତିଷ୍ଠିତ ହେବେ । ତେତେବେଳେ ବିବିଧ ବିଷୟ ଆପଣଙ୍କ ହୃଦୟକୁ ଆକର୍ଷଣ କରିବ । ପ୍ରିୟଜନ ଭାବନା ନିମନ୍ତେ ଅବକାଶ ସୁଦ୍ଧା ହେବ ନାହିଁ । ମୁଁ ଜାଣୁଅଛି, ଏ ଆଶଙ୍କା ଅତ୍ୟନ୍ତ ଅମୂଳକ; ତଥାପି ହୃଦୟ ଆଶ୍ୱସ୍ତ ହେଉନାହିଁ ।’’ ହେନରି ସସ୍ମିତ ମୁଖରେ ଉତ୍ତର କଲେ, ‘‘ଅୟି ଭୀରୁ ! ହୃଦୟରୁ ଏପରି ଅମୂଳକ ଆଶଙ୍କା ଦୂର କର । ତୁମ୍ଭଙ୍କୁ ପାସୋରି ପକାଇବି-? ତୁମ୍ଭର ମୋହିନୀ ମୂର୍ତ୍ତି କଦାପି ଏ ହୃଦୟରୁ ଅପନୀତ ହେବ ନାହିଁ । ତୁମ୍ଭ ବିନା ଏ ହୃଦୟରେ ଆଉ କେହି ସ୍ଥାନ ପାଇବ ନାହିଁ । ମାଟିଲ୍ଡ଼ାଙ୍କ ହୃଦୟ କିୟତ୍‌ ପରିମାଣରେ ଆଶ୍ୱସ୍ତ ହେଲା । ଅନନ୍ତର ସେମାନେ ସମ୍ରାଟ୍‍ଙ୍କ ପୀଡ଼ା ବିଷୟରେ କଥୋପକଥନ କରିବାକୁ ଲାଗିଲେ । ହେନରି ଦୁଃଖିତ ହୋଇ କହିଲେ, “ଜ୍ୟେଷ୍ଠତାତ ଅନିର୍ବଚନୀୟ ମନୋବେଦନାରେ ଦିନ ଯାପନ କରୁଥିବେ । ସେ ଅନ୍ତିମକାଳରେ ଶାନ୍ତ ହୃଦୟରେ ନୟନ ମୁଦି ପାରିବେ ନାହିଁ । ଆତ୍ମଗ୍ଲାନିରୂପ ନରକାଗ୍ନି ତାଙ୍କ ହୃଦୟକୁ ନିରନ୍ତର ଦଗ୍‌ଧ କରୁଥିବ । ଈଶ୍ୱର କରନ୍ତୁ, ସେ ଆଉ କିଛିକାଳ ଜୀବିତ ଥାଉନ୍ତୁ । ରାଜ୍ୟଲାଭ ନିମନ୍ତେ ମୁଁ ତାଦୃଶ ବ୍ୟଗ୍ର ନୁହେଁ-।’’ ଏହି କଥୋପକଥନ ଉତ୍ତାରେ ହେନରି ନିଜ ଆବାସକୁ ପ୍ରତ୍ୟାଗମନ କଲେ ।

ମାଟିଲ୍‌ଡାଙ୍କ ଉପରେ ଯେଉଁ ଭୟାନକ ଆପଦ ପଡ଼ିବ, ସେ ତାହା ଜାଣି ନଥିଲେ । ଭବିତବ୍ୟତା ଦ୍ୱାରା ସର୍ବଦା ମନୁଷ୍ୟମାନଙ୍କ ପ୍ରତି ଅବରୁଦ୍ଧ । ପିଡ଼୍ରୋ ନାମକ ଜଣେ ସମ୍ଭ୍ରାନ୍ତ ଧନୀ ତାଙ୍କର ପରିଣୟାର୍ଥୀ ହୋଇ ସିଫ୍ରେଡିଙ୍କୁ ଖଣ୍ଡିଏ ପତ୍ର ଲେଖିଥିଲେ । ସିଫ୍ରେଡି ତାହାଙ୍କର ଏହି ପ୍ରାର୍ଥନାରେ ସମ୍ମତ ହୋଇଥିଲେ । ମାତ୍ର ତାଙ୍କୁ ହଠାତ୍‌ ସମ୍ରାଟ୍‌ଙ୍କ ନିକଟକୁ ଯିବାକୁ ପଡ଼ିବାରୁ ସେ ଏ ବିଷୟ କାହାରିଠାରେ ବ୍ୟକ୍ତ କରି ନ ଥିଲେ । ସୁତରାଂ ମାଟିଲ୍‌ଡା ଏ ବିଷୟରେ ବିନ୍ଦୁବିସର୍ଗହିଁ ଜାଣିପାରି ନ ଥିଲେ ।

ଦିନେ ହେନରି ଶଯ୍ୟାରୁ ଉଠି ବସି ଅଛନ୍ତି, ଏମନ୍ତ ସମୟରେ ସିଫ୍ରେଡି ତାହାଙ୍କର ଆବାସରେ ଉପସ୍ଥିତ ହୋଇ କହିଲେ, ‘‘କୁମାର ! ମୁ୍ଁ ସମ୍ପ୍ରତି ଗୋଟିଏ ସମ୍ବାଦ କହିବି; ତାହା ଶୁଣି ତୁମ୍ଭ ହୃଦୟ ଶୋକାନ୍ୱିତ ହେବ । ତୁମ୍ଭର ଜ୍ୟେଷ୍ଠତାତ ମାନବଲୀଳା ସମ୍ବରଣ କରିଅଛନ୍ତି । ତୁମ୍ଭେ ତାଙ୍କର ଉତ୍ତରାଧିକାରୀରୂପେ ନିଯୁକ୍ତ ହୋଇଅଛି । ସମ୍ପ୍ରତି ସିସିଲି ତୁମ୍ଭର କରଗତ ହେଲା । ରାଜଧାନୀର ଅଧିବାସୀମାନେ ତୁମ୍ଭର ଗମନ ପ୍ରତୀକ୍ଷା କରି ରହିଅଛନ୍ତି । ତୁମ୍ଭେ ଅଦ୍ୟ ଘୋଟକାରୋହଣ କରି ରାଜଧାନୀକୁ ଯିବ । ମୁଁ ଆଗେ ସେଠାରେ ଉପସ୍ଥିତ ହୋଇ ଅଭିଷେକାଦିରେ ଉଦ୍‌ଯୋଗ କରୁଥିବି ।’’ ହେନରି ଏହି ସମାଚାର ପାଇ ଅତ୍ୟନ୍ତ ଦୁଃଖିତ ହେଲେ; ମାତ୍ର ସେହି ଦୁଃଖ ଅଧିକ କାଳ ରହିଲା ନାହିଁ । ହୃଦୟରେ ନାନା ଭାବର ଉଦୟ ହେଲା । କିଛି କାଳ ମୌନ ଅବଲମ୍ବନ କରି ରହିଲେ । ଅନନ୍ତର ସିଫ୍ରେଡିଙ୍କୁ ସମ୍ବୋଧନକରି କହିଲେ, ‘‘ମହାଶୟ-! ମୁଁ ଆପଣଙ୍କୁ ପିତୃତୁଲ୍ୟ ଜ୍ଞାନ କରେ । ଆପଣଙ୍କ ଉପଦେଶ ଅନୁସାରେ ସର୍ବଦା କାର୍ଯ୍ୟ କରିବି । ଶାସନଭାର ଆପଣଙ୍କୁ ବହନ କରିବାକୁ ହେବ ।’’ ଏହା କହି ହେନରି ଖଣ୍ଡେ କାଗଜ ସ୍ୱାକ୍ଷରିତ କରି ସିଫ୍ରେଡିଙ୍କୁ ପ୍ରଦାନ କଲେ । ସିଫ୍ରେଡି ବିସ୍ମୟାବିଷ୍ଟ ହୋଇ ପଚାରିଲେ, ‘‘କୁମାର ! ତୁମ୍ଭେ କ’ଣ କରୁଅଛ ?’’ ହେନରି ଆହ୍ଲାଦସୂଚକ ସ୍ୱରରେ ଉତ୍ତର କଲେ, ‘‘ଆପଣଙ୍କଠାରେ କୃତଜ୍ଞତା ପ୍ରକାଶ କରୁଅଛି । ଆପଣ ଏହି କାଗଜଖଣ୍ଡ ଆପଣଙ୍କର ଯାହା ଅଭିରୁଚି ହେବ ତାହା କରିବେ ।’’ ସିଫ୍ରେଡି କହିଲେ, ଆମ୍ଭଠାରେ ଏପରି ବିଶ୍ୱାସ କରିବା ଉଚିତ ନୁହେ । ଯାହାହେଉ, ଏହି ବିଶ୍ୱାସର କୌଣସି ମନ୍ଦ ଫଳ ହେବ ନାହିଁ । ମୁଁ ଏପରି ବିଶ୍ୱାସଯୋଗ୍ୟ କି ନା ତାହା ସମୟରେ ଜାଣିପାରିବ ।’’ ଏହା କହି ସିଫ୍ରେଡି ଅନ୍ତଃପୁର ଆଡ଼କୁ ଯାଇ ନିଜ ଦୁହିତା ମାଟିଲ୍‌ଡାଙ୍କୁ ଡ଼ାକି କହିଲେ, ‘‘ମାଟିଲ୍‌ଡା ! ଆଜି ତୁମେ ରାଜଧାନୀକୁ ଯିବ । ସେଠାରେ ରାଜପରିବାର ସହିତ ତୁମ୍ଭର ପରିଚୟାଦି ହେବ । କାଲି ହେନରିଙ୍କର ଅଭିଷେକ ହେବ; ତୁମ୍ଭେ ସେଠାରେ ଥିଲେ ଅନେକ ନୂତନ ବିଷୟମାନ ଦେଖି ଆନନ୍ଦିତ ହେବ ।’’ ଏହା ଶୁଣି ମାଟିଲ୍‌ଡାଙ୍କର କିପରି ଚିତ୍ତଚାଞ୍ଚଲ୍ୟ ଉପସ୍ଥିତ ହୋଇଥିବ, ତାହା ପାଠକେ ବିବେଚନା କରନ୍ତୁ । କିଛିକାଳ ନିମନ୍ତେ ତାହାଙ୍କର ବାକ୍‌ସ୍ଫୂର୍ତ୍ତି ହେଲା ନାହିଁ । କ’ଣ କହିବେ, କିଛି ସ୍ଥିର କରିପାରିଲେ ନାହିଁ । ସିଫ୍ରେଡି ନିଜ ତନୟାର ହର୍ଷର ନିଗୂଢ଼ କାରଣ ଜାଣି ନ ଥିଲେ; ସୁତରାଂ ମନେକଲେ ଯେ, ଭାବୀ କୌତୂହଳ ତୃପ୍ତି ମାଟିଲ୍‌ଡାର ଆନନ୍ଦର ଏକମାତ୍ର ହେତୁ-। ଅନନ୍ତର ସେମାନେ ରାଜଧାନୀକୁ ପ୍ରସ୍ଥାନ କଲେ ।

ସିଫ୍ରେଡିଙ୍କ ପ୍ରସ୍ଥାନ ଉତ୍ତାରେ ହେନରି ନିଜ ଭାବୀ ଅଭ୍ୟୁଦୟ ବିଷୟ ଚିନ୍ତା କରି ହର୍ଷ-ସାଗରରେ ନିମଗ୍ନ ହେଲେ । ଅନନ୍ତର ସ୍ନାନାହାର କରି ବାସଗୃହର କବାଟ ବନ୍ଦ କରି ଚାବି ଆପଣା ନିକଟରେ ରଖିଲେ । ଦ୍ୱାରଦେଶରେ ଘୋଟକ ସଜ୍ଜୀଭୂତ ହୋଇ ରହିଥିଲା । ସେ ଅଶ୍ୱାରୋହଣ କରି ରାଜଧାନୀ ଅଭିମୁଖରେ ଯାତ୍ରା କଲେ । ମାର୍ଗ ମଧ୍ୟରେ ତାଙ୍କ ହୃଦୟରେ ମାଟିଲ୍‌ଡା ବିଷୟକ ଚିନ୍ତା ସମୁଦିତ ହୋଇ ତାଙ୍କୁ ଅସ୍ଥିର କଲା । ସେ କ୍ରମେ କ୍ରମେ ରାଜଧାନୀର ନିକଟବର୍ତ୍ତୀ ହେଲେ । ନଗରବାସୀମାନେ ସମବେତ ହୋଇ ତାହାଙ୍କର ପ୍ରତ୍ୟୁଦ୍‍ଗମନ ନିମନ୍ତେ ଅଗ୍ରସର ହେଲେ । ଅନନ୍ତର ସେମାନେ ହେନରିଙ୍କୁ ରାଜସଭାକୁ ଘେନିଗଲେ । ସଭାତଳ ମହାର୍ଘ ଆସ୍ତରଣଦ୍ୱାରା ସମାବୃତ; ତାହା ଉପରେ ଗୋଟିଏ ରତ୍ନମଣ୍ଡିତ ସିଂହାସନ ସ୍ଥାପିତ ।

ଅନନ୍ତର ହେନରି ସିଫ୍ରେଡିଙ୍କ ବଚନାନୁସାରେ ସିଂହାସନରେ ଉପବିଷ୍ଟ ହେଲେ । ସିଫ୍ରେଡି ଉପସ୍ଥିତ ରାଜପୁରୁଷ ଏବଂ ସମ୍ଭ୍ରାନ୍ତ ଧନଶାଳୀ ବ୍ୟକ୍ତିମାନଙ୍କୁ ସମ୍ବୋଧନ କରି ଉଚ୍ଚୈଃସ୍ୱରରେ କହିଲେ, ‘‘ମହୋଦୟବୃନ୍ଦ ! ଆମ୍ଭେ ସମ୍ପ୍ରତି ସର୍ବସମକ୍ଷରେ ମୃତ ନରପତିଙ୍କ ଦାନପତ୍ର ପାଠ କରୁଅଛୁ, ଅବହିତ ହୋଇ ଶୁଣିବା ହେଉନ୍ତୁ ।’’ ଏହା କହି ଦାନପତ୍ର ପାଠ କଲେ । ଦାନପତ୍ରରେ ଲେଖାଥିଲା ଯେ, ସମ୍ରାଟ୍‌ ରଜର ନିଃସନ୍ତାନ ହେବାରୁ ତାଙ୍କ ଭ୍ରାତୁଷ୍ପୁତ୍ର ହେନରିଙ୍କୁ ସିଂହାସନର ଉତ୍ତରାଧିକାରୀରୂପେ ନିଯୁକ୍ତ କଲେ । ମାତ୍ର ହେନରିଙ୍କୁ ଏହି ଆଦେଶ ଥିଲା ଯେ, ସେ ଡିଏନାଙ୍କର ପାଣିଗ୍ରହଣ କରିବେ; ଅନ୍ୟ କୌଣସି ସ୍ତ୍ରୀ ସଙ୍ଗେ ପରିଣୀତ ହେଲେ ସେ ରାଜ୍ୟ ପ୍ରାପ୍ତ ହୋଇପାରିବ ନାହିଁ ।

ହେନରି ଦାନପତ୍ର ଶ୍ରବଣ କରି ବଜ୍ରାହତପ୍ରାୟ ହେଲେ । ବଦନ ବିବର୍ଣ୍ଣ ହୋଇଗଲା । ସେ କିଛିକାଳ ଆତ୍ମଜ୍ଞାନଶୂନ୍ୟ ହୋଇ କ’ଣ କରିବେ କିଛି ଅବଧାରଣ କରିପାରିଲେନି । ଚତୁର ସିଫ୍ରେଡି ହେନରିଙ୍କ ଅବସ୍ଥାରୁ ତାଙ୍କର ମନୋଗତ ଭାବ ବୁଝିପାରି ପ୍ରତ୍ୟୁତ୍ପନ୍ନମତିତ୍ୱ ଅବଲମ୍ବନ କରି ସଭାସ୍ଥ ସମସ୍ତ ବ୍ୟକ୍ତିଙ୍କୁ ସମ୍ବୋଧନ କରି କହିବାକୁ ଲାଗିଲେ, ‘‘ମହୋଦୟବୃନ୍ଦ ! ଆମ୍ଭମାନଙ୍କ ନୂତନ ସମ୍ରାଟ୍‌ ରାଜାଙ୍କ ଆଦେଶ ଶିରୋଧାର୍ଯ୍ୟ କରି ଡିଏନାଙ୍କ ପାଣିଗ୍ରହଣ ବିଷୟରେ ପ୍ରତିଶ୍ରୁତି ହୋଇଅଛନ୍ତି ।’’ ହେନରି ବ୍ୟଗ୍ରହୋଇ ସିଫ୍ରେଡିଙ୍କୁ କହିଲେ, ‘‘ତୁମେ କ’ଣ କହୁଅଛ ?’’ ସିଫ୍ରେଡି ତାଙ୍କ କଥାରେ କର୍ଣ୍ଣପାତ ନ କରି କହିବାକୁ ଲାଗିଲେ, ସଭାସ୍ଥ ମହୋଦୟବୃନ୍ଦ ! ଏହି ପତ୍ରରେ ଯାହା ଲେଖା ଅଛି, ତାହା ପାଠ କରୁଅଛି, ଶ୍ରବଣ କରିବା ହେଉନ୍ତୁ । ଏଥିରେ ନିଜେ ହେନରି ସ୍ୱାକ୍ଷର କରିଅଛନ୍ତି ।’’ ଏହା କହି ହେନରି ତାଙ୍କୁ ଯେଉଁ କାଗଜ ଦେଇଥିଲେ, ତାହା ପଢ଼ିବାକୁ ଲାଗିଲେ । ତହିଁରେ ଲେଖା ଥିଲା ଯେ, ହେନରି ଯଥାବିଧି ରାଜକାର୍ଯ୍ୟ ସମ୍ପାଦନ କରିବାକୁ ଆଣୁମାତ୍ର ତ୍ରୁଟି କରିବେ ନାହିଁ ଏବଂ ମୃତ ନରପତିଙ୍କ ଆଦେଶାନୁସାରେ ଡିଏନାଙ୍କର ପାଣିଗ୍ରହଣ କରିବେ । ଏହି ପତ୍ରିକା ପାଠ ଉତ୍ତାରେ ସଭାଗୃହ ହର୍ଷସୂଚକ ଶବ୍ଦରେ ପରିପୂର୍ଣ୍ଣ ହେଲା । ସମସ୍ତେ ଏକବାକ୍ୟ ହୋଇ ହେନରିଙ୍କୁ ପ୍ରଶଂସା କଲେ ଏବଂ ତାଙ୍କର ଅଭ୍ୟୁଦୟ ପ୍ରାର୍ଥନା କଲେ । ସେମାନଙ୍କ ସାନନ୍ଦ ବାକ୍ୟ ବିଷଦିଗ୍ଧ ଶରପ୍ରାୟ ହେନରିଙ୍କ ମର୍ମଭେଦ କରିବାକୁ ଳାଗିଲା ।

ସଭାଭଙ୍ଗ ହେଲା । ହେନରି ସର୍ବସମକ୍ଷରେ ସିଫ୍ରେଡିଙ୍କୁ କିଛି କହିପାରି ନ ଥିଲେ । ସମ୍ପ୍ରତି ସିଫ୍ରେଡ଼ଙ୍କୁ ନିଭୃତରେ ପାଇ ତିରସ୍କାରପୂର୍ବକ କହିବାକୁ ଲାଗିଲେ, ‘‘ତୁମ୍ଭର ଏ କି ଅବିଚାର-? ଆମ୍ଭେ ତୁମ୍ଭଙ୍କୁ ଯେଉଁ ସ୍ୱାକ୍ଷରିତ କାଗଜ ଦେଇଥିଲୁଁ, ତାହାର କି ଏହି ବ୍ୟବହାର କଲ-? ତୁମ୍ଭେ ଏଡ଼େ ବିଶ୍ୱାସଘାତକ ବୋଲି ଆମ୍ଭେ ଜାଣି ନ ଥିଲୁଁ ।’’ ସିଫ୍ରେଡି ନିର୍ଭୀକ ହୋଇ କହିବାକୁ ଲାଗିଲେ, ମହାରାଜ ! ନିଜ ସ୍ୱାର୍ଥ ଗୌରବ ପ୍ରତି ମନୋଯୋଗ କରନ୍ତୁ । ଆପଣ ଯଦି ପରିଣୟ ବିଷୟରେ ଅସମ୍ମତ ହେବେ, ତେବେ ଆପଣଙ୍କର ରାଜ୍ୟପ୍ରାପ୍ତି ବିଷୟରେ ଅନତିକ୍ରମଣୀୟ ବ୍ୟାଘାତ ଉପସ୍ଥିତ ହେବ । ‘‘ଏହା କହି ସିଫ୍ରେଡି ଉତ୍ତର ପ୍ରତୀକ୍ଷା ନ କରି ସେଠାରୁ ଅପସୃତ ହେଲେ । ହେନରିଙ୍କ ହୃଦୟ ଘୋର ଭାବନାସମୁଦ୍ରରେ ନିମଗ୍ନ ହେଲା । ତାଙ୍କର ମନୋବେଦନାର ଇୟତ୍ତା ରହିଲା ନାହିଁ-। ସିଫ୍ରେଡିଙ୍କୁ ପରମ ଶତ୍ରୁ ମଣିଲେ । ମାଟିଲ୍‌ଡ଼ାରୂପ ମହାରତ୍ନରୁ ବଞ୍ଚିତ ହେବା ତାଙ୍କ ପ୍ରତି ଅସହନୀୟ ହେଲା । ଡିଏନାଙ୍କୁ ସହଧର୍ମ୍ମିଣୀ ନ କଲେ ମହା କ୍ଷତି ହେବ, ପୁଣି ମାଟିଲ୍‌ଡ଼ାଙ୍କୁ ନିଜ ଆତ୍ମା ପ୍ରଦାନ କରିଅଛନ୍ତି । କ’ଣ କରିବେ, କେଉଁ ଆଡ଼କୁ ଯିବେ ? ଦୁଇଆଡ଼େ ଆପଦ । ନାନାପ୍ରକାରେ ପାଞ୍ଚି ପରିଶେଷରେ ଏହି ସ୍ଥିର କଲେ ଯେ ସମ୍ପ୍ରତି ପାଣିଗ୍ରହଣ ଅଙ୍ଗୀକାର କରିବେ, ରାଜ୍ୟରେ ପ୍ରତିଷ୍ଠିତ ଓ କ୍ଷମତାଶାଳୀ ହୋଇ ବିବାହ ବିଷୟରେ ଅସମ୍ମତ ହେବେ; କେହି ତାଙ୍କର ଅପ୍ରିୟ ସାଧନ କରିବାକୁ ସାହସୀ ହେବେ ନାହିଁ ।

ପରଦିନ ସଭା ହେଲା । ହେନରି ପ୍ରକାଶ୍ୟ ରୂପେ ଡିଏନାଙ୍କ ପରିଣୟ ବିଷୟରେ ପ୍ରତିଶ୍ରୁତ ହେଲେ । ଯେତେବେଳେ ହେନରି ଏପରି ଅଙ୍ଗୀକାର କଲେ, ତେତେବେଳେ ମାଟିଲ୍‌ଡ଼ା ବାତାୟନ ଉପକଣ୍ଠରେ ଛିଡ଼ା ହୋଇଥିଲେ । ସୁତରାଂ ସବୁ ଶୁଣିଲେ; ଶୁଣି ଚମକି ଉଠିଲେ । ହୃଦୟ ନୈରାଶ୍ୟ ସାଗରରେ ବୁଡ଼ିଗଲା, ଆପାଦମସ୍ତକ ଥରିବାକୁ ଲାଗିଲା, ଶରୀରସ୍ଥ ଶୋଣିତ ଶୀତଳ ହୋଇଗଲା । ଅନନ୍ତର ସଭାଭଙ୍ଗ ହେଲାକ୍ଷଣି ସିଫ୍ରେଡି ପୁରପ୍ରବିଷ୍ଟ ହୋଇ ଦେଖିଲେ, ମାଟିଲ୍‌ଡା ଅତ୍ୟନ୍ତ ଶୋକାକୁଳ ହୋଇ ଅଶ୍ରୁ ବିସର୍ଜନ କରୁଅଛନ୍ତି । ତାଙ୍କ ମନରେ ଆଉ ସଂଶୟ ରହିଲା ନାହିଁ-। ମାଟିଲ୍‌ଡା ଯେତେବେଳଯାଏ ରାଜଭବନରେ ଥିବେ, ତେତେବେଳଯାଏ ହେନରିଙ୍କର ମଙ୍ଗଳ ନାହିଁ, ଏହା ଭାବି ମାଟିଲ୍‌ଡାଙ୍କୁ ସଙ୍ଗେ ଘେନି ସ୍ୱଦୁର୍ଗକୁ ପ୍ରସ୍ଥାନ କଲେ ।

ସିଫ୍ରେଡି ସ୍ୱଦୁର୍ଗରେ ଉପସ୍ଥିତ ହୋଇ ଗୋପନରେ ପିଡ୍ରୋନାମକ ଜଣେ ଧନୀ ବ୍ୟକ୍ତି ସଙ୍ଗରେ ନିଜ ତନୟାର ପରିଣୟ ସମ୍ବନ୍ଧ ସ୍ଥିର କଲେ । ତଦନନ୍ତର ମାଟିଲ୍‌ଡା ନିକଟକୁ ଯାଇ କହିଲେ, ‘‘ବତ୍ସେ ! ତୁମ୍ଭେ ଅବଶ୍ୟ ମୋହର ଆଦେଶ ପାଳନ କରିବ । ମୁଁ ତୁମପାଇଁ ଗୋଟିଏ ଯୋଗ୍ୟ ପାତ୍ର ସ୍ଥିର କରିଅଛି ।’’ ମାଟିଲ୍‌ଡା ଏହା ଶୁଣି ବଜ୍ରାହତ ପ୍ରାୟ ହେଲେ । କ’ଣ କହିବେ, କିଛି ବୁଦ୍ଧି ତାଙ୍କୁ ଦିଶିଲା ନାହିଁ । କିଛିକାଳ ଉତ୍ତାରେ ଧୈର୍ଯ୍ୟ ଅବଲମ୍ବନ କରି କହିଲେ, ‘‘ତାତ ! ମୁଁ କି ଅପରାଧ କରିଛି ଯେ ତୁମ୍ଭେ ଏପରି କରୁଛ ?’’ ଏହା କହି ମୂର୍ଚ୍ଛିତ ହେଲେ । ମୁଖ ବିବର୍ଣ୍ଣ ହୋଇଗଲା, ଶରୀର ପାଣ୍ଡୁବର୍ଣ୍ଣ ଧାରଣ କଲା । ସିଫ୍ରେଡି ପ୍ରିୟ ଦୁହିତାର ଈଦୃଶୀ ଅବସ୍ଥା ଦେଖି ଅତ୍ୟନ୍ତ ବ୍ୟାକୁଳ ହେଲେ । ତାଙ୍କର ଚୈତନ୍ୟ ସମ୍ପାଦନ କରିବା ନିମନ୍ତେ ବ୍ୟଜନାଦି କରିବାକୁ ଲାଗିଲେ । କିଛି କାଳ ଉତ୍ତାରେ ମାଟିଲ୍‌ଡା ଚୈତନ୍ୟ ଲାଭ କଲେ । ନେତ୍ର ଉନ୍ମୀଳନ କରି ଦେଖିଲେ, ପିତା ସମ୍ମୁଖରେ ଉପବିଷ୍ଟ; ବିସ୍ମିତ ହୋଇ ଅର୍ଦ୍ଧସ୍ଫୁଟ ସ୍ୱରରେ କହିଲେ, ‘‘ତାତ ! ମୁଁ ଅତ୍ୟନ୍ତ ମନ୍ଦଭାଗିନୀ; ମୁଁ ଯାହା ଏତେକାଳ ଗୋପନ କରିବାକୁ ଚେଷ୍ଟାକଲି, ତାହା ଆଜି ଦୂରଦୃଷ୍ଟ ହେତୁରୁ ବ୍ୟକ୍ତ ହେଲା । ମାଟିଲ୍‌ଡା ତୁମ୍ଭର ଅନୁମତି ନ ଘେନି ପରଠାରେ ହୃଦୟ ସମର୍ପଣ କରିଅଛି, ଏବେ ତାହାର ପ୍ରତିଫଳ ଭୋଗ କରୁ।’’ ଏହା କହି ଅଶ୍ରୁ ବିସର୍ଜନ କରିବାକୁ ଲାଗିଲେ । ସିଫ୍ରେଡି ଉତ୍ତର କଲେ, ‘‘ବତ୍ସେ ! ମୁଁ ତୁମ୍ଭର ଅନିଷ୍ଟ କାମନା କରେ ନାହିଁ । ମୁଁ ଯେଉଁ ପାତ୍ର ନିରୂପଣ କରିଅଛି, ସେ ଅତି ଯୋଗ୍ୟ । ତୁମ୍ଭେ ତାଙ୍କ ସଙ୍ଗରେ ପରିଣୟସୂତ୍ରରେ ବଦ୍ଧ ହେଲେ କେବେହେଁ ଅସୁଖୀ ହେବ ନାହିଁ ।’’ ମାଟିଲ୍‌ଡା କହିଲେ, ‘‘ମୁଁ ହେନରି–’’ ତାଙ୍କ ବାକ୍ୟ ଅବସାନ ନୋହୁଣୁ ସିଫ୍ରେଡି ଗମ୍ଭୀର ସ୍ୱରରେ କହିବାକୁ ଳାଗିଲେ, ‘‘ତୁମ୍ଭେ ଯେ ହେନରିର ପକ୍ଷପାତିନୀ, ତାହା ମୁଁ ଜାଣିଅଛି । ଯଦି କୌଣସି ଅନିଷ୍ଟ ହେବାର ସମ୍ଭାବନା ନ ଥାନ୍ତା, ତେବେ ମୁଁ କୌଣସି ଆପତ୍ତି କରନ୍ତି ନାହିଁ । ଡିଏନାର ପାଣିଗ୍ରହଣ ନକଲେ ହେନରି ରାଜପଦ ପାଇପାରିବେ ନାହିଁ । ଭୂତପୂର୍ବ ସମ୍ରାଟ୍‌ ଏହି ଅଲଙ୍ଘନୀୟ ନିୟମରେ ହେନରିଙ୍କୁ ରାଜ୍ୟ ପ୍ରଦାନ କରି ଯାଇଅଛନ୍ତି । ହେନରି ସିସିଲର ରାଜପଦଠାରୁ କି ତୁମ୍ଭଙ୍କୁ ଅଧିକ ମଣିବେ ? ଏବେ ହୃଦୟକୁ ପ୍ରବୋଧ ଦେଇ ଆଶ୍ୱସ୍ତ ହୁଅ । ପିଡ୍ରୋଙ୍କ ସଙ୍ଗରେ ଶୀଘ୍ର ତୁମ୍ଭର ପରିଣୟ ହେବ । ହେନରି ଡିଏନାର ପାଣିଗ୍ରହଣ ବିଷୟରେ ପ୍ରତିଶ୍ରୁତ ହୋଇଅଛନ୍ତି । ଆମ୍ଭେ ପିଡ୍ରୋଙ୍କୁ ବାକ୍ୟଦାନ କରିଅଛୁଁ; ଆଉ ତାହାର ଅନ୍ୟଥା ହୋଇ ନ ପାରେ । ତୁମ୍ଭ ଉପରେ ଆମ୍ଭର ସଂପୂର୍ଣ୍ଣ ଅଧିକାର । ତୁମ୍ଭେ ଅବଶ୍ୟ ଆମ୍ଭର ଆଦେଶ ପାଳନ କରିବ । ଏ ବିଷୟରେ ଆମ୍ଭର ଆଉ ବକ୍ତବ୍ୟ ନାହିଁ ।’’

ସିଫ୍ରେଡି ଏହି ପ୍ରକାର ଭୟ ଦେଖାଇ ସ୍ଥାନାନ୍ତରିତ ହେଲେ । ତାଙ୍କର ଏହି ଆଶା ଥିଲା ଯେ, ସେ ଯେପ୍ରକାର ଯୁକ୍ତି ପ୍ରଦର୍ଶନ କରିଅଛନ୍ତି, ତଦ୍ଦ୍ୱାରା ମାଟିଲ୍ଡ଼ାର ମନ ଅବଶ୍ୟ ପରିବର୍ତ୍ତିତ ହେବ । ତାହାହେଲେ ପିଡ୍ରୋ ସଙ୍ଗେ ବିବାହ ବିଷୟରେ ଅନ୍ୟ କୌଣସି ପ୍ରତିବନ୍ଧକ ରହିବ ନାହିଁ । ତାଙ୍କର ଏ ପ୍ରକାର ଅନୁମାନ ନିତାନ୍ତ ଅସଙ୍ଗତ ନୁହେଁ । ମାତ୍ର ମାଟିଲ୍‌ଡାର ଅବସ୍ଥା ଯେ କି ପ୍ରକାର ହୋଇଥିବ, ତାହା ପାଠକେ ଅନୁମାନ କରି ଦେଖନ୍ତୁ । ମାଟିଲ୍‌ଡା ହେନରିର ବିଶ୍ୱାସଘାତକତା ବିଷୟରେ ପୂର୍ବରୁ ଯେଉଁ ଆଶଙ୍କା କରିଥିଲେ, ଏବେ ତାହା ଦୃଢ଼ୀଭୂତ ହେଲା । ଏତେବେଳେ ଦଶଦିଗ ଅନ୍ଧାର ଦିଶିଲା । ନୈରାଶ୍ୟ-ଦାବାନଳ ହୃଦୟ-କାନନକୁ ଦଗ୍‌ଧ କରିବାକୁ ଲାଗିଲା । ମୁହୁର୍ମୁହଃ ଦୀର୍ଘନିଃଶ୍ୱାସ ପରିତ୍ୟାଗକରି କହିବାକୁ ଲାଗିଲେ, ‘‘ହେନରି ! ବିଶ୍ୱାସଘାତକ ହେନେରି ! ତୁମ୍ଭେ ମୋଠାରେ ଏପରି ପ୍ରତିଜ୍ଞା କରି ଅନାୟାସରେ ତାହା ଲଙ୍ଘନ କଲ ? ମୁଁ ଏତେବେଳଯାଏ ମରୀଚିକାର ଅନୁଗାମିନୀ ହୋଇଥିଲି; ଏବେ ଦୁଃଖାନଳରେ ଦଗ୍‌ଧ ହେଉଅଛି । ମୁଁ ଅବଳା, ପରାଧୀନା, ତୁମ୍ଭଙ୍କୁ ଆଉ କ’ଣ କହିବି ! ମୁଁ ଆଗପଛ ନ ବିଚାରି ପ୍ରବଞ୍ଚକଠାରେ ଆତ୍ମସମର୍ପଣ କରିଥିଲି । ଏବେ ତାହାର ପ୍ରତିଫଳ ପାଉଅଛି । ହା ବିଧାତା ! ଏ ମନ୍ଦଭାଗିନୀ କିପରି ଦୁର୍ବହ ଜୀବନଭାର ବହନ କରିବ ? ହେନରି ! ମୁଁ ସେ ନାମ ଆଉ ଗ୍ରହଣ କରିବି ନାହିଁ । ଆତ୍ମଗ୍ଳାନି ତୁମ୍ଭ ହୃଦୟକୁ ଦଗ୍ଧ କରୁ । ଯଦି ମତେ ପାସୋରି ନ ଥାଅ, ତେବେ ଅନ୍ୟର ପତ୍ନୀ ହୋଇ ତୁମ୍ଭ ସଙ୍ଗେ ବାରେ ମାତ୍ର ସାକ୍ଷାତ୍‍ କଲେ ତୁମ୍ଭର ପର୍ଯ୍ୟାପ୍ତ ଦଣ୍ଡବିଧାନ ହେବ; କିନ୍ତୁ ଯଦି ପୂର୍ବ ପ୍ରଣୟ ଏକାବେଳକେ ବିସ୍ମୃତ ହୋଇଥାଅ, ତାହାହେଲେ ମୁଁ ବିବେଚନାଶୂନ୍ୟ ହୋଇ ଅନ୍ତଃକରଣକୁ ବଶୀଭୂତ କରିବା ନିମନ୍ତେ ଆପଣାକୁ ଏପରି ଦଣ୍ଡବିଧାନ କରିବି ଯେ, ମୋହର ଖ୍ୟାତି ତୁମ୍ଭର ସାମ୍ରାଜ୍ୟ-ବ୍ୟାପିନୀ ହେବ ।’’

ମାଟିଲ୍‌ଡା ହତାଶ ହୋଇ ବିବାହଦିନର ପୂର୍ବରାତ୍ର ଏହିପ୍ରକାରେ ଅତିବାହିତ କଲେ । ତହିଁ ଆରଦିନ ବିବାହ କାର୍ଯ୍ୟ ସମ୍ପାଦିତ ହେଲା । ରଜନୀରେ ମାଟିଲ୍‌ଡାର ସ୍ୱାମୀ ପିଡ୍ରୋ ଶୟନାଗାରକୁ ଆସିଲେ । ହାୟ ! ହତଭାଗିନୀ ମାଟିଲ୍‌ଡ଼ାର ତାତ୍‌କାଳିକ ମନୋବେଦନା କିଏ ଅନୁଭବ କରିବ ? ଯାହାର ହୁଏ, ସେହି ଜାଣେ । ପିଡ୍ରୋ ମାଟିଲ୍‌ଡ଼ାର ବିମର୍ଷଭାବ ଏବଂ ଦୌର୍ବଲ୍ୟ ଅବଲୋକନ କରି ବିସ୍ମୟାବିଷ୍ଟ ହେଲେ । ପ୍ରଥମେ ଭାବିଲେ, ମାଟିଲ୍‌ଡା ପୀଡ଼ିତ ଥିବେ; ମାତ୍ର କ୍ଷଣକାଳ ଉତ୍ତାରେ ତାଙ୍କ ମନରେ ନାନା ଆଶଙ୍କା ଏବଂ ସନ୍ଦେହ ଉପସ୍ଥିତ ହେଲା । ଅନନ୍ତର ମାଟିଲ୍‌ଡାର ମନ ବିଡ଼ିବା ନିମନ୍ତେ ତାଙ୍କୁ ଶଯ୍ୟାଗମନ ନିମନ୍ତେ ବାରମ୍ବାର ପ୍ରାର୍ଥନା କଲେ । ଏହି ପ୍ରାର୍ଥନା ରମଣୀହୃଦୟରେ ଶର ପ୍ରାୟ ବାଜିଲା । ଆଉ ସମ୍ଭାଳିପାରିଲେ ନାହିଁ । ନେତ୍ରରୁ ଝରଝର ହୋଇ ଲୋତକ ପଡ଼ିଲା । ଶରୀର ଥରିବାକୁ ଲାଗିଲା । ବିବାହବେଳେ ପିଡ୍ରୋ ହର୍ଷର ପରାକାଷ୍ଠା ପ୍ରାପ୍ତ ହୋଇ ମନେମନେ ଆପଣାକୁ ଧନ୍ୟ ମଣିଥିଲେ; ମାତ୍ର ମାଟିଲ୍‌ଡାର ଏପରି ଭାବ ବିଲୋକନକରି ଯତ୍‌ପରୋନାସ୍ତି ବିସ୍ମୟାବିଷ୍ଟ ହେଲେ । ସନ୍ଦେହବ୍ୟାକୁଳ ହୋଇ ସୁଦ୍ଧା ଆନ୍ତରିକ ଭାବ ପ୍ରକାଶ ନ କରି ଅଧିକତର ବିନୟ ସହକାରେ କହିଲେ, ‘‘ଯଦି ତୁମ୍ଭର ଶାରୀରିକ ପୀଡ଼ା ହୋଇଅଛି, ଶୟନ କର ।’’ ମାଟିଲ୍‌ଡା ସମ୍ମତ ହେଲେ । ଉଭୟେ ଏକ ଶଯ୍ୟାରେ ଶୟନ କଲେ । ମାତ୍ର ପରିଣୟ ସୂତ୍ରରେ ବଦ୍ଧ ଯୁବକଯୁବତୀଯୁଗଳ ଆହ୍ଲାଦ-ସାଗରରେ ମଗ୍ନ ହୋଇ ଯେପରି ପ୍ରେମାଳାପାଦି କରନ୍ତି, ସେମାନଙ୍କର ସେପରି କିଛି ହୋଇପାରିଲାନାହିଁ ।

ଦୁହିଁଙ୍କର ମାନସିକ ଭାବ ଯେପରି ଥିଲା, ସେଥିରେ ସେମାନଙ୍କର ନିଦ୍ରା ଅବା ହେବ କିପରି ? ମାଟିଲ୍‌ଡା ଅଶ୍ରୁଜଳରେ ଉପାଧାନ ଆର୍ଦ୍ର କଲେ । ପିଡ୍ରୋଙ୍କ ମନରେ ନାନାବିଧ ସନ୍ଦେହ ଉପସ୍ଥିତ ହେଲା । ପରିଣୟ ବୃକ୍ଷର ଯେ ଏପରି ଫଳ ଫଳିବ, ତାହା ସେ ଜାଣି ନଥିଲେ । ଅନ୍ୟ କେହି ମାଟିଲ୍‌ଡାର ହୃଦୟେଶ୍ୱର ହେବ, ମାଟିଲ୍‌ଡା ମୋଠାରେ ଅନୁରୁକ୍ତ ନୁହେ, ଏହିପରି ଭାବନା କରିବାକୁ ଲାଗିଲେ । ଅବଶେଷରେ ରଜନୀ ଦୁଇପ୍ରହର ହେଲା । ସହସା କୌଣସି ଶବ୍ଦ କର୍ଣ୍ଣଗୋଚର ହେଲା । ଗୃହ ମଧ୍ୟରେ କାହାର ପାଦ ସଞ୍ଚାର ଶବ୍ଦ ହେଉଅଛି, ଏହିପରି ବୋଧହେଲା-। ପିଡ୍ରୋ ଅତ୍ୟନ୍ତ ବିସ୍ମୟାପନ୍ନ ହେଲେ । ସନ୍ଦେହ ନିରାକରଣ ନମନ୍ତେ ଶଯ୍ୟାରୁ ଉଠିଲେ, ମାତ୍ର ପୁଣି ସେହି ଶବ୍ଦ । କେହି ଯେମନ୍ତ ଦୁର୍ବଳ ସ୍ୱରରେ ମାଟିଲ୍‌ଡ଼ାକୁ ବାରମ୍ବାର ଡ଼ାକୁଅଛି-। ପିଡ୍ରୋ ଅତ୍ୟନ୍ତ କୁପିତ ହୋଇ ହସ୍ତରେ ତରବାରି ଗ୍ରହଣ କଲେ, ଶବ୍ଦକୁ ଲକ୍ଷ୍ୟ କରି ଭାଜିଲେ । ହଠାତ୍‌ ତାଙ୍କ ତରବାରି ଆଉ ଖଣ୍ଡେ ତରବାରିରେ ପ୍ରତିହତ ହେଲା । ପିଡ୍ରୋ ସତର୍କ ହୋଇ ଗୃହର ପ୍ରତି କୋଣ ଖୋଜିଲେ; ମାତ୍ର ଅନ୍ୱେଷଣ ବିଫଳ ହେଲା । ଗୃହର ଅଭ୍ୟନ୍ତର ପ୍ରଦେଶ ନିବିଡ଼ ତିମିରାଚ୍ଛନ୍ନ ଥିବାରୁ ଶତ୍ରୁର ଅବସ୍ଥିତି ଜଣାଗଲାନାହିଁ । ପିଡ୍ରୋ କିଛିକାଳ ନୀରବ ହୋଇ ଛିଡ଼ାହେଲେ; ମାତ୍ର କୌଣସି ଶବ୍ଦ ଶୁଣିଲେ ନାହିଁ । ଏ ସମସ୍ତ ବ୍ୟାପର ତାଙ୍କୁ ଇନ୍ଦ୍ରଜାଲ ପରି ବୋଧ ହେଲା । ଶତ୍ରୁ ପଳାଇ ନ ପାରେ, ଏହି ଉଦ୍ଦେଶ୍ୟରେ ଦ୍ୱାରଦେଶକୁ ଗଲେ । ମାତ୍ର ଦ୍ୱାର ପୂର୍ବବତ୍‍ ଅର୍ଗଳରୁଦ୍ଧ । ଏହି ଅଦ୍ଭୁତ ଘଟନାର କାରଣ ନିରୂପଣ କରି ନ ପାରି ଭୃତ୍ୟମାନଙ୍କୁ ଉଚ୍ଚସ୍ୱରରେ ଡାକିଲେ । କବାଟ ଫିଟାଇ ଏପରି ଭାବରେ ଛିଡ଼ାହେଲେ ଯେମନ୍ତ କେହି ଗୃହରୁ ବାହାରକୁ ଆସି ନ ପାରେ । ସୁତରାଂ ଅନ୍ତଃପ୍ରବିଷ୍ଟ ଶତ୍ରୁର ପଳାଇବାର ବାଟ ନ ଥିଲା ।

ତାଙ୍କର ସ୍ୱର ଶୁଣି ଭୃତ୍ୟମାନେ ଦୀପ ଘେନି ଦୌଡ଼ି ଆସିଲେ । ପିଡ୍ରୋ ଭୃତ୍ୟମାନଙ୍କ ସଙ୍ଗେ ଗୃହ ମଧ୍ୟରେ ପୁଙ୍ଖାନୁପୁଙ୍ଖରୂପେ ଅନୁସନ୍ଧାନ କଲେ; କିନ୍ତୁ କାହାରି ଦେଖାପାଇଲେ ନାହିଁ । ଘର ମଧ୍ୟରେ କାହାରି ପ୍ରବିଷ୍ଟ ହେବାର ଚିହ୍ନ ସୁଦ୍ଧା ଲକ୍ଷିତ ନ ହେଲା । କୌଣସି ଗୁପ୍ତଦ୍ୱାର ଥିବା ବିଷୟ ସେ ଜାଣି ନ ଥିଲେ । ଶତ୍ରୁ କି ଉପାୟରେ ଅନ୍ତର୍ହିତ ହେଲା, କିଛି ବୁଝି ନ ପାରିଲେ । ପିଡ୍ରୋ ସିଫ୍ରେଡିଙ୍କୁ ସ୍ୱକୀୟ ମନୋବେଦନା ଜଣାଇବା ଶ୍ରେୟସ୍କର ମଣି ଭୃତ୍ୟମାନଙ୍କୁ ସ୍ଥାନାନ୍ତରିତ ହେବା ନିମନ୍ତେ ଅନୁମତି ଦେଲେ । ଅନନ୍ତର ସିଫ୍ରେଡିଙ୍କୁ ସେହି ଭୟାବହ ବ୍ୟାପାର ଜଣାଇ ଖେଦ ପ୍ରକାଶ କରି କହିଲେ, ‘‘ଆମ୍ଭେ ଏପରି ବିସ୍ମୟକର ଓ ଅପମାନଜନକ ଘଟଣା କଦାପି ଶୁଣି ନାହୁଁ । ଏଥିରେ କାହାର କି ଅସତ୍‌ ଅଭିସନ୍ଧି ଅଛି, ତାହା ଜଗଦୀଶ୍ୱରଙ୍କୁ ଗୋଚର ।’’

ସିଫ୍ରେଡି ବିସ୍ମୟାବିଷ୍ଟ ହୋଇ କିଛିକାଳ ତୁନି ରହିଲେ । ସମ୍ପ୍ରତି ହେନରିଙ୍କ ହସ୍ତରେ ରାଜକ୍ଷମତା ନ୍ୟସ୍ତ ହୋଇଅଛି । ତାହାଙ୍କର ଅସାଧ୍ୟ କିଛିହିଁ ନାହିଁ । ଏହିପ୍ରକାର ଭାବନାରେ ସିଫ୍ରେଡିଙ୍କ ହୃଦୟରେ ମହାଭୟର ସଞ୍ଚାର ହେଲା; ମାତ୍ର ଆନ୍ତରିକ ଭାବ ବ୍ୟକ୍ତ ନ କରି ପିଡ୍ରୋଙ୍କୁ କହିଲେ, ‘‘ପିଡ୍ରୋ ! ତୁମ୍ଭେ ଯେ ଘଟଣା ଦର୍ଶନ କଲ ଅବଶ୍ୟ ଭ୍ରମଜାତ । ବସ୍ତୁତଃ ଏପରି ଘଟଣା ଅସମ୍ଭବ । ତୁମ୍ଭର ଅନ୍ତଃକରଣର ସନ୍ଦେହ ପ୍ରବଣ ହେବାରୁ ଏପରି ହୋଇଅଛି । ଆମ୍ଭର କନ୍ୟାର ଶୟନଗୃହରେ ପ୍ରବେଶ କରିବାକୁ କିଏ ସାହସ କରିବେ ? ମାଟିଲ୍‌ଡାକୁ ବିଷର୍ଣ୍ଣମନା ଦେଖି ତୁମ୍ଭେ ଯେ ଆଶଙ୍କା କରିଅଛ, ତାହା ଅମୂଳକ । ମାଟିଲ୍‌ଡାର ଶାରୀରିକ ଅସୁସ୍ଥତା ଏହାର ଏକମାତ୍ର କାରଣ । ମାଟିଲ୍‌ଡା ନିତାନ୍ତ ଭୀରୁ ଏବଂ ଲଜ୍ଜାଶୀଳା । ତୁମ୍ଭେ ନବାଗତ ବ୍ୟକ୍ତି ; ସୁତରାଂ ତୁମ୍ଭଠାରେ ହଠାତ୍‌ କିପରି ବିଶ୍ୱାସ କରିବ ? ସେ ଅତ୍ୟନ୍ତ କୋମଳହୃଦୟା, ଅବିଳମ୍ବେ ତୁମ୍ଭଠାରେ ନିଜ ହୃଦୟ ଅର୍ପଣ କରିବ । ସମ୍ପ୍ରତି ତୁମ୍ଭେ ଶଯ୍ୟାଗୃହକୁ ଯାଅ । ତୁମ୍ଭର ଏହି ଅବିଶ୍ୱାସ ଏବଂ ବିରକ୍ତି ଦର୍ଶନ କରି ମାଟିଲ୍‌ଡା ନିଶ୍ଚୟ ଅଧିକତର ଭୀତ ଏବଂ ଦୁଃଖିତ ହେବ ।’’

ସିଫ୍ରେଡିଙ୍କର ଏପରି ଯୁକ୍ତି ଶୁଣି ପିଡ୍ରୋ ନିରୁତ୍ତର ହୋଇ ରହିଲେ । ଭାବିଲେ ଏପରି ଘଟଣା ମନୋବିକୃତିସମ୍ଭୂତ ବୋଲି ଆମ୍ଭର ବିଶ୍ୱାସ ହେଉନାହିଁ । ଘଟଣା ସତ୍ୟ ହେଲେ ସୁଦ୍ଧା ସିଫ୍ରେଡି ତାହାକୁ କଦାଚ ସମ୍ଭବ ମଣିବେ ନାହିଁ । ଅନନ୍ତର ଶଯ୍ୟାରେ ପ୍ରବିଷ୍ଟ ହେଲେ । ମାଟିଲ୍‌ଡା ସଙ୍ଗେ ସେହି ଶଯ୍ୟାରେ ଶୟନ କଲେ । ବିରାମଦାୟିନୀ ନିଦ୍ରାର ଆଶ୍ରୟ ଗ୍ରହଣ କଲେ । ହୃଦୟର ବ୍ୟାକୁଳତା ଦୂର ହୋଇପାରେ, ଏହି ବିବେଚନାରେ ନୟନ ମୁଦ୍ରିତ କଲେ । ମାଟିଲ୍‌ଡା ଉପସ୍ଥିତ ଘଟନାବେଳେ ଯେ ନିଦ୍ରିତ ଥିଲା, ଏମନ୍ତ ନୁହେ । ହତ ଭାଗିନୀର ନିଦ୍ରା ହେବା କି ସମ୍ଭବ ? ଯେଉଁ ଶବ୍ଦ ପିଡ୍ରୋଙ୍କ ମନରେ ଏଡ଼େ ସନ୍ଦେହ ଓ ଅବିଶ୍ୱାସ ଜନ୍ମାଇଥିଲା ତାହା ମାଟିଲ୍‌ଡାଙ୍କ କର୍ଣ୍ଣଗାଚର ମଧ୍ୟ ହୋଇଥିଲା । ମାଟିଲ୍‌ଡା ତାହା ଶୁଣି ବିସ୍ମୟାବିଷ୍ଟ ହୋଇଥିଲେ । ହେନରି ଡିଏନାର ପାଣିଗ୍ରହଣ ନିମନ୍ତେ ସମ୍ମତ ହୋଇଅଛନ୍ତି । ସେ ଏତେ ରାତ୍ରରେ ତାଙ୍କର ଶୟନ ମନ୍ଦିରକୁ କିପାଇଁ ଆସିବେ ? ଏହି ଘଟନା ହେତୁରୁ ମାଟିଲ୍‌ଡା ହେନରି ଉପରେ ଅତ୍ୟନ୍ତ କ୍ରୁଦ୍ଧ ହେଲେ ଏବଂ କ୍ରୋଧାତିଶଯ୍ୟ ହେତୁରୁ ତାଙ୍କୁ ନରାଧମ ଦୁଷ୍ଟ ତସ୍କର ପ୍ରାୟ ଜ୍ଞାନ କଲେ ।

ଏଣେ ଦୁର୍ଭାଗ୍ୟ ହେନରି ମାଟିଲ୍‌ଡା ସଙ୍ଗେ ସ୍ୱୟଂ ସାକ୍ଷାତ କରି ତାଙ୍କଠାରେ ଆପଣା ହୃଦୟ ଉଦ୍‌ଘାଟନ କରି ବ୍ୟାକୁଳ ହୃଦୟକୁ ସୁସ୍ଥିର କରିବେ, ଏଥିନିମନ୍ତେ ଅତ୍ୟନ୍ତ ବ୍ୟଗ୍ର ଥିଲେ । ମାତ୍ର କାର୍ଯ୍ୟାନୁରୋଧବଶତଃ ବେଲ୍‌ମଣ୍ଟ ନଗରକୁ ଯାଇପାରି ନ ଥିଲେ । ଅବକାଶ ହେଲାକ୍ଷଣି ମାଟିଲ୍‌ଡାଙ୍କ ପରିଣୟ ରାତ୍ରିରେ ଏକାକୀ ବେଲ୍‌ମଣ୍ଟ ନଗରକୁ ପ୍ରସ୍ଥାନ କଲେ । ସେଠାରେ କୌଣସି ସ୍ଥାନ ତାଙ୍କର ଅଗୋଚର ନ ଥିଲା । ପୂର୍ବେ ଯେଉଁ ଗୁପ୍ତ ଦ୍ୱାର ବିଷୟରେ ଉଲ୍ଲେଖ ହୋଇଅଛି, ସେ ଦ୍ୱାରର ଚାବି ମଧ୍ୟ ତାଙ୍କଠାରେ ଥିଲା । ସେ ଦ୍ୱାର ଫିଟାଇ ଅନାୟାସରେ ମାଟିଲ୍‍ଡ଼ାର ଶୟନଗୃହରେ ପ୍ରବିଷ୍ଟ ହେଲେ । ମାଟିଲ୍‌ଡାର ପରିଣୟ ବିଷୟ କିଛି ଜାଣି ନ ଥିଲେ, ପୁଣି ତାଙ୍କ ଶୟନଗୃହରେ ଜଣେ ଆଗନ୍ତୁକକୁ ଦେଖିଲେ । ଆଗନ୍ତୁକର ତରବାରି ମଧ୍ୟ ତାଙ୍କ ତରବାରିରେ ବାଜିଲା । ବିସ୍ମୟର ଇୟତ୍ତା ରହିଲା ନାହିଁ । ତତ୍‌କ୍ଷଣାତ୍‌ ପିଡ୍ରୋର ପ୍ରାଣନାଶ କରିଥାନ୍ତେ; ମାତ୍ର ଆଗପଛ ନ ବିଚାରି ଏପରି କରିବାର ଅନୁଚିତ ମଣି କ୍ରୋଧ ସଂଯତ କଲେ ଏବଂ ନୀରବହୋଇ ସେଠାରୁ ପ୍ରସ୍ଥାନ କଲେ । ବାହାରକୁ ଆସି ଆପଣାକୁ ନିତାନ୍ତ ହତଭାଗ୍ୟ ମଣି ସେହି ରାତ୍ରରେ ରାଜଧାନୀରେ ଉପସ୍ଥିତ ହେଲେ । ସେତେବେଳେ ରଜନୀ ଅଳ୍ପମାତ୍ର ଅବଶିଷ୍ଟ ଅଛି-। ଶଯ୍ୟାରେ ଶୟନ କଲେ; ମାତ୍ର ତାଙ୍କ ହୃଦୟ ବେଲ୍‌ମଣ୍ଟରେ ରହିଲା ।

ପ୍ରତ୍ୟୁଷରେ ହେନରି ମୃଗୟା ନିମନ୍ତେ ବନକୁ ଯିବେ ବୋଲି ଘୋଷଣା କରିଦେଲେ । ସଙ୍ଗରେ ବହୁ ଅନୁଚର ଘେନି ବେଲ୍‍ମଣ୍ଟ ସମୀପବର୍ତ୍ତୀ ଅରଣ୍ୟ ମଧ୍ୟରେ ପ୍ରବିଷ୍ଟ ହେଲେ । କିୟତ୍‍କାଳ ମୃଗୟାରେ ରତ ହେଲେ । ଅନନ୍ତର ସମସ୍ତଙ୍କୁ ମୃଗୟାସକ୍ତ ଦେଖି ସ୍ୱୟଂ ବେଲ୍‌ମଣ୍ଟ ଆଡ଼କୁ ଘୋଟକ ସଞ୍ଚାଳନ କଲେ । କେହି ସଙ୍ଗରେ ନ ଥିଲେ । ମାର୍ଗ ବନମଧ୍ୟବର୍ତ୍ତୀ ହେଲେ ସୁଦ୍ଧା ତାଙ୍କର ବିସ୍ତର କଷ୍ଟ ହେଲା ନାହିଁ । ସେହି ବନର ପ୍ରତ୍ୟେକ ଅଂଶ ପୂର୍ବେ ଭ୍ରମଣ କରି ଦେଖିଥିଲେ; ସୁତରାଂ ପଥଭ୍ରମର ସମ୍ଭାବନା ନ ଥିଲା । ଏଡ଼େ ବ୍ୟଗ୍ର ହୋଇଥିଲେ ଯେ ଘୋଟକ ଆଡ଼କୁ ଦୃଷ୍ଟି ରହିଲାନାହିଁ । ପ୍ରଣୟପାତ୍ରକୁ ଦେଖିବା ନିମନ୍ତେ ପ୍ରଣୟିମାନଙ୍କର ଯାଦୃଶ ଉତ୍କଣ୍ଠା ହୁଏ, ତାହା ପ୍ରଣୟୀ ବିନା ଆଉ କିଏ ଜାଣିବ ? କିପରି ବେଲ୍‍ମଣ୍ଟରେ ପହଞ୍ଚିବେ, କିପରି ମାଟିଲ୍‌ଡା ସଙ୍ଗେ ସାକ୍ଷାତକରି ତାଙ୍କୁ ପ୍ରସନ୍ନ କାରଇବେ, ଏହି ପ୍ରକାର ଚିନ୍ତାରେ ନିମଗ୍ନ ହୋଇ ବେଲ୍‌ମଣ୍ଟ ଦୁର୍ଗର ନିକଟବର୍ତ୍ତୀ ହେଲେ । ଦେଖିଲେ, ମାର୍ଗପାର୍ଶ୍ୱସ୍ଥ ଗୋଟିଏ ଉଦ୍ୟାନ ମଧ୍ୟରେ ଜଣେ ମହିଳା ଏକାକିନୀ ଭ୍ରମଣ କରୁଅଛି । ହେନରି ତାହାକୁ ଚିହ୍ନିଲେ । ସେ ହେନରି-ହୃଦୟ-ହାରିଣୀ ମାଟିଲ୍‌ଡା-। ହତଭାଗିନୀ ମାଟିଲ୍ଡ଼ା ନିର୍ଜନରେ ଅଶ୍ରୁ ବିସର୍ଜନ କରିବା ନିମନ୍ତେ ସେହି ନିଭୃତ ସ୍ଥାନକୁ ଆସିଥିଲା ।

ହେନରି ସତ୍ୱର ଘୋଟକରୁ ଅବତୀର୍ଣ୍ଣ ହୋଇ ମାଟିଲ୍‌ଡା ସନ୍ନିଧାନକୁ ଗମନ କଲେ । ମାତ୍ର ମାଟିଲ୍‌ଡାର ବଦନଶ୍ରୀ ପରିମ୍ଳାନ ଦେଖି ତାଙ୍କର ହୃଦୟ ବ୍ୟାକୁଳ ହେଲା । ସେ କହିଲେ, ‘‘ପ୍ରିୟେ ! ମନୋମାଳିନ୍ୟ ଦୂର କର । ଯେପରି ବାହ୍ୟ ଘଟନା ଘଟିଅଛି, ସେଥିରେ ମୁଁ ତୁମ୍ଭ ନୟନରେ ଅପରାଧୀ ଅଟେ । ସନ୍ଦେହ ନାହିଁ; ମାତ୍ର ମୁଁ ଯେଉଁ କଳ୍ପନା କରଅଛି, ତାହା ଜାଣିଲେ ତୁମ୍ଭେ ନିଶ୍ଚେ ମୋତେ ନିରପରାଧ ବିବେଚନା କରିବ । ମୋର କିପରି ସ୍ନେହ, ସେଥିରେ ମଧ୍ୟ ପରିଚୟ ପାଇବ ।’’ ଏପରି ପ୍ରବୋଧବାକ୍ୟରେ ମାଟିଲ୍‌ଡାର ଶୋକ ହ୍ରାସ ନ ହୋଇ ବରଂ ଦ୍ୱିଗୁଣିତ ହେଲା । କଣ୍ଠରୋଧ ହେବାରୁ ମାଟିଲ୍‌ଡା ଉତ୍ତର କରି ନ ପାରିଲା । ମାଟିଲ୍‌ଡାର ମୌନଭାବ ଏବଂ ବାଷ୍ପପୂର୍ଣ୍ଣନୟନ ଅବୋଲୋକନ କରି ହେନରି ବଜ୍ରାହତ ପ୍ରାୟ ହେଲେ । କିଛିକାଳ ଉତ୍ତାରେ କହିଲେ, ‘‘ମୁଁ କି ହତଭାଗ୍ୟ ! ତୂମ୍ଭଠାରେ ଯେଉଁ ପ୍ରତିଜ୍ଞା କରିଥିଲି, ତାକୁ ପାଳିବା ନିମନ୍ତେ ବ୍ୟଗ୍ରହେବାରୁ ମୋର ରାଜସିଂହାସନ ଏବଂ ଜୀବନ ପର୍ଯ୍ୟନ୍ତ ସଂଶୟିତ ହୋଇଅଛି । ତଥାପି ତୁମ୍ଭର ମୋଠାରେ ବିଶ୍ୱାସ ହେଉନାହିଁ ।’’ ହେନରିଙ୍କ କଥା ଶୁଣି ମାଟିଲ୍‌ଡାଙ୍କ ଶୋକସାଗର ଉଦ୍‌ବେଳିତ ହେଲା; ଉତ୍ତର ନ ଦେଇ ରହି ପାରିଲେ ନାହିଁ । କହିଲେ, ‘‘ମହାରାଜ ! ମୁଁ ଆପଣଙ୍କ ପ୍ରତିଜ୍ଞା ଶୁଣିବାକୁ ଯୋଗ୍ୟା ନୁହେଁ । ସମ୍ପ୍ରତି ଆପଣଙ୍କ ଭାଗ୍ୟ ଏବଂ ମୋ ଭାଗ୍ୟ ଆକାଶ ପାତାଳ ପ୍ରାୟ ହୋଇଅଛି ।’’ ହେନରି ବ୍ୟଗ୍ରହୋଇ କହିଲେ, ‘‘ଏପରି ଅସହନୀୟ କଥା କହିବାକୁ କିଏ ତୁମ୍ଭଙ୍କୁ ଶିଖାଇଲା ? ହେନରିର ପ୍ରଣୟପାତ୍ରରେ ହସ୍ତାର୍ପଣ କରିବାକୁ କିଏ ସାହସ କଲା ? ମୋର ଆଶା-ସରୋବରର ଏକମାତ୍ର ପଦ୍ମ କିଏ ଛିଣ୍ଡାଇଲା ?’’ ମାଟିଲ୍‌ଡା ମୃଦୁ ଅଥଚ ଖେଦୋଦ୍ୱୋଧକ ସ୍ୱରରେ କହିଲେ, ‘‘ମହାରାଜ ! ଆପଣଙ୍କର ଯେଡ଼େ ପରାକ୍ରମ ହେଉ ପଛକେ, ତଥାପି ଆମ୍ଭମାନଙ୍କର ପ୍ରଣୟ ସମ୍ପାଦନ ସମ୍ବନ୍ଧରେ ଯେଉଁ ମହାନ୍‌ ପ୍ରତିବନ୍ଧକ ଅଛି, ତାହାକୁ ଦୂର କରିବା ଆପଣଙ୍କର ସାଧ୍ୟାୟତ୍ତ ନୁହେଁ । ମୁଁ ଆଉ ଅଧିକ କହିବି ନାହିଁ । ଡନ୍‌ ପିଡ୍ରୋ ସଙ୍ଗରେ ମୋର ବିବାହ ହୋଇଅଛି ।’’

‘‘ବିବାହ ହୋଇଅଛି,’’ ଏହା କହି ହେନରି ଚମକି ପଡ଼ିଲେ । ମାଟିଲ୍‌ଡାଠାରୁ ଦୂରରେ ଯାଇ ଛିଡ଼ା ହେଲେ । ଏହୀ ହୃଦୟଭେଦୀ ସମ୍ବାଦ ଶୁଣି ତାଙ୍କର ବାକ୍ୟସ୍ଫୁଟ ହେଲା ନାହିଁ । ଏହି ଅନପେକ୍ଷିତ ଆଘାତ ତାଙ୍କର ସମୁଦାୟ ବଳ ହରଣ କଲା, ମୁଖ ପାଣ୍ଡୁର ବର୍ଣ୍ଣ ହୋଇଗଲା । ସମୁଦାୟ ଇନ୍ଦ୍ରିୟ କାର୍ଯ୍ୟ ସ୍ଥଗିତପ୍ରାୟ ହେଲା । କେବଳ ସ୍ଥିରଦୃଷ୍ଟିରେ ମାଟିଲ୍‌ଡା ଆଡ଼କୁ ଅନାଇ ରହିଲେ । ମାଟିଲ୍‌ଡା ହତଭାଗ୍ୟ ରାଜକୁମାରଙ୍କର ଏପରି ଦଶା ବିଲୋକନ କରି ବିମୂଢ଼ପ୍ରାୟ ହୋଇ ରହିଲେ । ଏହିପରି ଦୁହେଁ ପରସ୍ପରକୁ ନିରୀକ୍ଷଣ କରିବାକୁ ଲାଗିଲେ । ଅବଶେଷରେ ରାଜକୁମାର ଉନ୍ମାଦ ପ୍ରାୟହୋଇ କହିଲେ, ‘‘ମାଟିଲ୍‌ଡା ! ତୁମ୍ଭ ମନରେ ଏହିତା ଥିଲା । ସ୍ତ୍ରୀଜାତି ପୁରୁଷଠାରୁ ଶତଗୁଣରେ ବିଶ୍ୱାସଘାତକ ଅଟନ୍ତି ।’’

ଏହି ତିରସ୍କାର ଶ୍ରବଣ କରି ମାଟିଲ୍‌ଡା ଅତ୍ୟନ୍ତ କ୍ରୁଦ୍ଧ ହେଲେ । କହିଲେ, ‘‘ମହାରାଜ ! ବିଶ୍ୱାସଘାତକ କିଏ, ତାହା ଆପଣଙ୍କ ହୃଦୟ ଜାଣୁଥିବ । ମୁଁ କର୍ଣ୍ଣନେତ୍ରକୁ ଅବିଶ୍ୱାସ କରି ଆପଣଙ୍କ କଥାରେ କିପରି ପ୍ରତ୍ୟୟ କରିବି ?’’ ହେନରି କହିଲେ, ‘‘ତୁମ୍ଭେ ପ୍ରତାରିତ ହୋଇଅଛ । ତୁମ୍ଭେ ପରିଣୀତା ହୋଇଅଛ, ଏହା ଯେପରି ସତ୍ୟ; ମୁଁ ନିର୍ଦ୍ଦୋଷ ଏବଂ ଦୃଢ଼ସଙ୍କଳ୍ପ, ଏହା ମଧ୍ୟ ସେପରି ସତ୍ୟ ଅଟେ ।’’ ମାଟିଲ୍‍ଡ଼ା କହିଲେ, ‘‘ମହାରାଜ ! କି କଥା କହୁଅଛନ୍ତି ? ଡିଏନାର ପାଣିଗ୍ରହଣ ବିଷୟରେ ଆପଣ ପ୍ରତିଶ୍ରୁତ ହୋଇଅଛନ୍ତି; ଏହା କିଏ ନ ଜାଣେ ? ଡିଏନା ରାଣୀ ବୋଲି ପ୍ରଜାଙ୍କଠାରୁ ଉପଢ଼ୌକନାଦି ଗ୍ରହଣ କରିନାହାନ୍ତି କି ? ଏସବୁ ଆମ୍ଭର ଭ୍ରମ ମାତ୍ର । କହନ୍ତୁ ଯେ, ପ୍ରଲୋଭନ ସମ୍ଭାଳି ପାରିଲେ ନାହିଁ । ଏତେ ଛନ୍ଦ କାହିଁକି ? ମହାରାଜ ! ଆପଣ ଉତ୍ତମ କରିଅଛନ୍ତି-। ମୁଁ ଯେଉଁ ଅବସ୍ଥାର ଲୋକ, ଏଥିରେ ଆପଣଙ୍କ ହୃଦୟ ଏବଂ ସିଂହାସନ ଅଭିଳାଷ କରିବା ମୋ ପକ୍ଷରେ ଅନୁଚିତ ଅଟେ । ମୁଁ ଦୁରାଶାପରତନ୍ତ୍ର ହୋଇଥିଲି; ମାତ୍ର ମୋତେ ଏପରି ଭ୍ରମରେ ପକାଇବା ଆପଣଙ୍କର ଉଚିତ ନଥିଲା । ମୁଁ ପୂର୍ବରୁ ଜାଣିଥିଲି ଯେ ଆପଣ ରାଜସିଂହାସନ ପାଇଲେ ମୁଁ ଆପଣଙ୍କୁ ଆଉ ଆପଣଙ୍କୁ ଆଉ ପାଇବି ନାହିଁ । ରାଜଧାନୀକୁ ଯିବା ବେଳେ ମୋ ହୃଦୟର ସନ୍ଦେହ ଜଣାଇଥିଲି । ଆପଣ ଆଶ୍ୱାସବାଣୀଦ୍ୱାରା କାହିଁକି ମୋତେ ମାୟାବିନୀ ଆଶାର ବଶୀଭୂତା କରାଇଲେ ? ଏପରି କରି ନ ଥିଲେ ମୁଁ ଆପଣଙ୍କୁ ତିରସ୍କାର ନ କରି ମୋ ଅଦୃଷ୍ଟକୁ ତିରସ୍କାର କରନ୍ତି । ମୁଁ ପିଡ୍ରୋ ସଙ୍ଗେ ବିବାହିତ ହୋଇଅଛି । ଆପଣଙ୍କ ନିକଟରେ ରହିବା ମୋର ଉଚିତ ନୁହେଁ । ମାଟିଲ୍‌ଡା ଚରିତ୍ରରେ କେହି କୌଣସି କଳଙ୍କ ଦେଇ ନାହିଁ । ମୋତେ ଶୀଘ୍ର ବିଦାୟ ଦେଉନ୍ତୁ । ମୋର ଏତେ ସ୍ୱାତନ୍ତ୍ର୍ୟ ନାହିଁ ଯେ ଆପଣଙ୍କ ସହିତ କଥୋପକଥନ କରିବି ।’’

ଏହା କହି ମାଟିଲ୍‌ଡା ବାଷ୍ପପୂର୍ଣ୍ଣ ଲୋଚନରେ ରାଜନନ୍ଦନଙ୍କ ନିକଟରୁ ପ୍ରସ୍ଥାନ କଲେ । ହେନରି ବ୍ୟଗ୍ର ହୋଇ କହିଲେ, ‘‘ମାଟିଲ୍‌ଡା ! ତୁମ୍ଭ ବିବେଚନାରେ ହେନରି ଯେଉଁ ସିଂହାସନକୁ ତୁମ୍ଭଠାରୁ ସୁଦ୍ଧା ବାଞ୍ଛନୀୟ ବୋଲି ଜ୍ଞାନ କରିଅଛି, ସେ ସେହି ସିଂହାସନକୁ ପରିତ୍ୟାଗ କରିବା ନିମନ୍ତେ ଏହିକ୍ଷଣି ପ୍ରସ୍ତୁତ । ହେନରିକୁ ନୌରାଶ୍ୟସାଗରରେ କାହିଁକି ପକାଉଅଛ ?’’ ମାଟିଲ୍‌ଡା କହିଲେ, ‘‘ସଂପ୍ରତି ସେପରି କରିବା ନ କରିବା ସମାନ ଅଟେ । ମୁଁ ଯେଉଁ ଶୃଙ୍ଖଳରେ ବଦ୍ଧ, ତାହା ଅଚ୍ଛେଦ୍ୟ; ସେଥିରୁ ମୁକ୍ତ ହେବାର ଉପାୟ ନାହିଁ । ସଂପ୍ରତି ମୁଁ ମୋ ହୃଦୟର ପ୍ରଭୁ ନୁହେଁ । ମୁଁ ବିବେକଶୂନ୍ୟ ହୋଇ ଆପଣଙ୍କଠାରେ ହୃଦୟଦ୍ୱାର ଉଦ୍‌ଘାଟନ କରିଥିଲି; ମାତ୍ର ଧୈର୍ଯ୍ୟପର ହୋଇ ଚିତ୍ତଚାଞ୍ଚଲ୍ୟ ନିବାରଣ କରିବା ନିମନ୍ତେ ଯତ୍ନ କରୁଅଛି । ଈଶ୍ୱର ମୋତେ ଧୈର୍ଯ୍ୟଶାଳିନୀ କରନ୍ତୁ ।’’ ଏହା କହି ମାଟିଲ୍‌ଡା ଅନ୍ତଃପୁରପ୍ରବିଷ୍ଟ ହେଲେ । ହେନରି କିଛିକାଳ ଚୈତନ୍ୟଶୂନ୍ୟ ଜଡ଼ପ୍ରାୟ ରହିଲେ । ଅନନ୍ତର ନିଦ୍ରୋତ୍‌ଥିତପ୍ରାୟ କହିଲେ, ‘‘ମୁଁ ଏତେକାଳଯାଏ ଛାୟା ମାତ୍ର ମନସକ୍ଷେତ୍ରରେ ସଞ୍ଚରଣ କରାଉଥିଲି । ହାୟ ! ଅବଶେଷରେ ଏହି ଘଟିଲା !’’

ହେନରି ଏହିପରି କହୁଅଛନ୍ତି, ଏମନ୍ତ ସମୟରେ ପିଡ୍ରୋ ବୃତ୍ତାନ୍ତ ମନରେ ପଡ଼ିଲା । ପ୍ରଣୟିମାନଙ୍କର ପ୍ରଣୟପାତ୍ର ଅନ୍ୟ ହସ୍ତଗତ ହେଲେ ସେମାନଙ୍କର କ୍ରୋଧର ସୀମା ରହେ ନାହିଁ । ହେନରି କ୍ଷଣକାଳ କ୍ରୋଧାବେଗରେ ଅସ୍ଥିର ହେଲେ । କିଂକର୍ତ୍ତବ୍ୟବିମୂଢ଼ ହୋଇ ପିଡ୍ରୋ ଏବଂ ସିଫ୍ରେଡି ଉଭୟଙ୍କର ବିନାଶ ପାଞ୍ଚିଲେ । କ୍ରମେ ଜ୍ଞାନସୂର୍ଯ୍ୟର ଆବିର୍ଭାବଦ୍ୱାରା କ୍ରୋଧତମଃ ଅନ୍ତର୍ହିତ ହେବାରୁ ସ୍ଥିରହୋଇ କର୍ତ୍ତବ୍ୟନିରୂପଣରେ ପ୍ରବୃତ୍ତ ହେଲେ । ମାଟିଲ୍‌ଡା ମୋତେ ବିଶ୍ୱାସଘାତକ ବୋଲି ମନେ କରିଅଛି, ତାହା ହୃଦୟରୁ ଏହି ପ୍ରତିକୂଳଭାବ ଅପନୟନ କରିବା ଅସମ୍ଭବ । ଏହି ଭାବନା ତାଙ୍କୁ ହତାଶ କଲା । ଭାଳିଲେ, ଯେବେ ମାଟିଲ୍‌ଡା ସହିତ କଥୋପକଥନର ସୁଯୋଗ ଲାଭ ହେବ, ତେବେ ମୋର ମନୋରଥ ସିଦ୍ଧ ହୋଇପାରେ । ପିଡ୍ରୋକୁ ସ୍ଥାନାନ୍ତରିତ ନ କଲେ ମନୋରଥ ସିଦ୍ଧ ହୋଇ ପାରିବ ନାହିଁ । ଅତଏବ ଏହି କାର୍ଯ୍ୟ ସର୍ବାଗ୍ରେ କର୍ତ୍ତବ୍ୟ । ପିଡ୍ରୋ ବିଦ୍ରୋହୀ, ଏହି ଛଳରେ ତାହାକୁ କାରାରୁଦ୍ଧ କରିବାକୁ ପ୍ରତିଜ୍ଞା କଲେ । ଜଣେ ଶାନ୍ତିରକ୍ଷକକୁ ସେହି କାର୍ଯ୍ୟରେ ନିଯୁକ୍ତି କଲେ । ସେହି ଶାନ୍ତିରକ୍ଷକ ପିଡ୍ରୋକୁ ଧରି ନେଇ ରାଜଧାନୀସ୍ଥ କାରାଗୃହରେ ରୁଦ୍ଧ କରି ରଖିଲା ।

ଉପର୍ଯ୍ୟୁକ୍ତ ଘଟନାରେ ବେଲ୍‍ମଣ୍ଟବାସିମାନେ ଅତୀବ ଭୀତ ହେଲେ । ସିଫ୍ରେଡି ଏହି ସମ୍ବାଦ ଶୁଣିଲାକ୍ଷଣି ନିଜ ଜାମାତାର ନିର୍ଦୋଷତା ପ୍ରମାଣଦ୍ୱାରା ତାହାଙ୍କୁ ମୁକ୍ତ କରିବା ନିମନ୍ତେ ଦୁର୍ଗରୁ ବିନିର୍ଗତ ହେଲେ । ଏପରି ଯଥେଚ୍ଛାଚାରିତାର ପରିଣାମ ଭୟାନକ ହେବ, ଏହା ମଧ୍ୟ ହେନରିଙ୍କୁ ବୁଝାଇବା ତାଙ୍କର ଉଦ୍ଦେଶ୍ୟ ଥିଲା । ହେନରି ସିଫ୍ରେଡିଙ୍କ ଆଗମନ ସମ୍ଭବପର ମଣି ଦାସମାନଙ୍କୁ ଏହି ଆଜ୍ଞା ଦେଇଥିଲେ ଯେ, ସେ ଦୁଇ ତିନି ଦିନଯାଏ କାହାରିଠାରୁ କିଛି ଶୁଣିବେ ନାହିଁ । ତାଙ୍କର ଏପରି ଆଦେଶ ଦେବାର ପ୍ରଧାନ ଅଭିପ୍ରାୟ ଏହି ଯେ, ପିଡ୍ରୋର କାରାମୁକ୍ତି ପୂର୍ବରୁ ମାଟିଲ୍‍ଡ଼ା ସହିତ ବାକ୍ୟାଳାପର ସୁଯୋଗ ପାଇବେ । କିନ୍ତୁ ସିଫ୍ରେଡି ରାଜାନୁମତି ଅପେକ୍ଷା ନ କରି ହେନରିଙ୍କ ଭବନ ମଧ୍ୟରେ ପ୍ରବିଷ୍ଟ ହେଲେ ଏବଂ ବିନୟ ଓ ସାହସସୂଚକ ସ୍ୱରରେ କହିଲେ, ‘‘ମହାରାଜ ! ବଶମ୍ବଦ ଏବଂ ରାଜଭକ୍ତ ପ୍ରଜାର ଯେବେ ରାଜା ନାମରେ ଅଭିଯୋଗ କରିବା ସଙ୍ଗତ ହୁଏ, ତେବେ ମହାରାଜାଙ୍କ ବିବେକରୂପ ବିଚାରକଠାରେ ମୁଁ ମହାରାଜାଙ୍କ ବିପକ୍ଷରେ ଅଭିଯୋଗ କରୁଅଛି । ମୋର ଜାମାତା କି ଅପରାଧ କରିଅଛି ଯେ, ସେ କାରାରୁଦ୍ଧ ହେଲା ? ଏହି କାରାବରୋଧଦ୍ୱାରା ଆମ୍ଭ ବଂଶ ଉପରେ ଯେ କିପରି କଳଙ୍କ ଅର୍ପିତ ହେଲା, ତାହା ବିଚାର କରନ୍ତୁ-। ଏଥିରେ ଆପଣଙ୍କ ଅଧିନସ୍ଥ କର୍ମଚାରୀମାନେ ଭୀତ ଏବଂ ବିରକ୍ତ ହୋଇଥିବେ, ସନ୍ଦେହ ନାହିଁ ।’’ ହେନରି କହିଲେ, ‘‘ପିଡ୍ରୋ ବିଦ୍ରୋହ ନିମନ୍ତେ ଇଚ୍ଛୁକ ଥିଲେ, ଏହା ଆମ୍ଭେ ନିଃସଂଶୟରୂପେ ଜାଣିଅଛୁଁ ।’’ ସିଫ୍ରେଡି ବିସ୍ମୟାହତ ହୋଇ କହିଲେ, ‘‘ବିଦ୍ରୋହ ! ଆପଣ କୌଣସି ଶଠଦ୍ୱାରା ପ୍ରତାରିତ ହୋଇଅଛନ୍ତି । ଆମ୍ଭ ପରିବାର ମଧ୍ୟରେ ବିଦ୍ରୋହ ଆଜିଯାଏ ସ୍ଥାନ ପାଇ ନାହିଁ । ପିଡ୍ରୋ ଯେ ନିଃସନ୍ଦେହରୂପେ ନିର୍ଦ୍ଦୋଷ, ସେଥିରେ ପ୍ରଧାନ ପ୍ରମାଣ ଏହି ଯେ ସେ ଆମ୍ଭର ଜାମାତା ଅଟେ-। ପିଡ୍ରୋର କିଛି ଦୋଷ ନାହିଁ, ତାହାଙ୍କୁ କାରାରୁଦ୍ଧ କରିବାର ମହାରାଜାଙ୍କର ଅନ୍ୟ ଅଭିପ୍ରାୟ ଥିବ-।’’

ହେନରି କହିଲେ, ‘‘ସିଫ୍ରେଡି ! ତୁମ୍ଭେ ଆମ୍ଭଠାରେ ଆନ୍ତରିକ ଭାବ ଯେପରି ମୁକ୍ତକଣ୍ଠରେ ପ୍ରକାଶ କଲ, ଆମ୍ଭେ ମଧ୍ୟ ସେହିପରି କରିବୁଁ । ତୁମ୍ଭେ ପିଡ୍ରୋର କାରାବାରୋଧରେ ଅସନ୍ତୁଷ୍ଟ ହୋଇଅଛ । ତୁମ୍ଭେ ଆମ୍ଭ ପ୍ରତି କିପରି ନିର୍ଦୟାଚରଣ କରିଅଛ ତାହା ଥରେ ଚିନ୍ତା କର । ତୁମ୍ଭେ ମିଥ୍ୟା ଆୟାସ ହେତୁରୁ ଆମ୍ଭର ମାନସିକ ଶାନ୍ତି ଅପଗତ ହୋଇଅଛି । ତୁମ୍ଭେ କଦାଚ ମନେକରିନାହଁ ଯେ, ଆମ୍ଭେ ଡିଏନା ସଙ୍ଗେ ପରିଣୀତ ହେବାକୁ ସମ୍ମତ ଅଛୁଁ ।’’ ସିଫ୍ରେଡି କହିଲେ, ‘‘ମହାରାଜ ଡିଏନାଙ୍କୁ ବିବାହ କରିବେ, ଏଥିରେ କି ଆହୁରି ସନ୍ଦେହ ଅଛି ? ଆପଣ ତ ସର୍ବସମକ୍ଷରେ ସମ୍ମତ ହୋଇଅଛନ୍ତି ।’’ ହେନରି କହିଲେ, ‘‘ଏ ବିଷୟରେ ଯଦି ସମସ୍ତେ ନିରାଶ ହୁଅନ୍ତି, ସେଥିର ପ୍ରଶଂସା ତୁମ୍ଭକୁ ଗ୍ରହଣ କରିବାକୁ ହେବ । ଆମ୍ଭେ କେବଳ ତୁମ୍ଭଦ୍ୱାରା ବାଧ୍ୟ ହୋଇ ସମ୍ମତି ଦେଇଥିଲୁଁ; ଆମ୍ଭର ଲେଶମାତ୍ର ଇଚ୍ଛା ନ ଥିଲା । ଅତଏବ ଆମ୍ଭେ କଦାପି ସେ ସମ୍ମତି ଅନୁସାରେ କାର୍ଯ୍ୟ କରିବୁ ନାହିଁ । ତୁମ୍ଭଙ୍କୁ ଯେଉଁ ଅଲିଖିତ ଏବଂ ସ୍ୱାକ୍ଷରିତ ପତ୍ରିକା ଦେଇଥିଲୁ, ତାହାର କି ଅଭିପ୍ରାୟ ଥିଲା ? ତୁମ୍ଭ କନ୍ୟାର ଉନ୍ନତିସାଧନ ତାହାର ଏକମାତ୍ର ଉଦ୍ଦେଶ୍ୟ । ତୁମ୍ଭେ ଯେ ଆମ୍ଭ ମନ ଜାଣି ନ ଥିଲ, ଆମ୍ଭର ଏପରି ବିଶ୍ୱର ହେଉନାହିଁ । ମାଟିଲ୍‌ଡା ଯାହାଠାରେ କଦାପି ହୃଦୟ ଅର୍ପଣ କରିବ ନାହିଁ, ତୁମ୍ଭେ ପୁଣି ତାହାରି ହସ୍ତରେ କନ୍ୟା ସଂପ୍ରଦାନ କରିଅଛ । ଆମ୍ଭ ଉପରେ ତୁମ୍ଭର ଏମନ୍ତ କି ପ୍ରଭୁତ୍ୱ ଅଛି ଯେ, ଆମ୍ଭର ହୃଦୟକୁ ଡିଏନାର ଆୟତ୍ତ କରିବାକୁ ଯତ୍ନଶୀଳ ହୋଇଅଛ ? ଆମ୍ଭର ନିଷ୍ଠୁରା ପିତୃଷ୍ୱସା ଡିଏନାର ଜନନୀ, ଏହା କି ବିସ୍ମୃତ ହୋଇଗଲ-? ପାପିୟସୀ ଆମ୍ଭ ପିତାଙ୍କୁ କି କଷ୍ଟ ଦେଇନାହିଁ ? ଆମ୍ଭେ ସେହି ରାକ୍ଷସୀର କନ୍ୟାକୁ ବିବାହିତ ହେବୁଁ ଏହା କଦାଚ ବିଶ୍ଵାସ କରିବ ନାହିଁ ।’’

ସିଫ୍ରେଡିଙ୍କ ବଦନ ମଳିନ ହୋଇଗଲା । କହିଲେ, ‘‘ମହାରାଜ ! ଏ କି ଭୟଙ୍କର ବ୍ୟାପାର ଉପସ୍ଥିତ କରୁଅଛନ୍ତି ? ଏହା ଶୁଣି କିଏ ତ୍ରସ୍ତ ନ ହେବ ?’’ କିଛିକାଳ ଉତ୍ତାରେ ଧୈର୍ଯ୍ୟସୂଚକ ସ୍ୱରରେ କହିଲେ, ‘‘ମାତ୍ର ମୁଁ ଭୀତ ହେବି ନାହିଁ । ଆପଣ ଯେପରି କହୁଅଛନ୍ତି, ତାହା କଦାପି ସମ୍ପାଦନ କରିପାରିବେ ନାହିଁ । ଆପଣ ପ୍ରଜାମାନଙ୍କର ବାଧ୍ୟ ଅଟନ୍ତି । ମହାରାଜ, ଆପଣଙ୍କ ବିବେକ ଉପରେ ରିପୁ ବହୁକାଳ ପ୍ରଭୁତ୍ୱ କରିପାରିବ ନାହିଁ । ଆପଣଙ୍କ ସଦ୍‌ଗୁଣକଳାପର ବିମଳ ପ୍ରଭା ସାମାନ୍ୟ ମନୁଷ୍ୟତାସୁଲଭ ଦୌର୍ବଲ୍ୟଦ୍ୱାରା କଦାଚ ଆଚ୍ଛାଦିତ ହେବ ନାହିଁ । ମହାରାଜା ? ଡିଏନାର ପାଣିଗ୍ରହଣ ଆପଣଙ୍କ ଉତ୍ତରାଧିକାରିତ୍ୱର ପ୍ରଧାନ ନିୟମ ଅଟେ । ମୃତ ନରପତିଙ୍କ ଦାନପତ୍ର ତ ଆପଣ ସ୍ୱୟଂ ପାଠ କରୁଅଛନ୍ତି ।’’ ହେନେରି ତତ୍‌କ୍ଷଣାତ୍‌ କ୍ରୁଦ୍ଧ ହୋଇ କହିଲେ, ‘‘ମୃତ ନରପତି କିପରି ମନୁଷ୍ୟ ଥିଲେ, ତାହା ତୁମ୍ଭର ଅବିଦିତ ନାହିଁ । ତୁମ୍ଭେ ସେ ନିମନ୍ତେ ଏତେ ବ୍ୟଗ୍ର କିପାଇଁ ? ଏପରି ଅସଙ୍ଗତ ନିୟମର ବଶବର୍ତ୍ତୀ ହୋଇ କିଏ ଚାଲିବ ? ଆମ୍ଭେ ଡିଏନାକୁ କଦାଚ ବିବାହ କରିବୁଁ ନାହିଁ । ଏଥିରେ ଯଦି କେହି ଆମ୍ଭର ଶତ୍ରୁ ହୁଏ, ତେବେ ତାହା ସଙ୍ଗେ ଘୋର ସଂଗ୍ରାମ ହେବ । ବିଜେତା ସିସିଲିର ଅଧିପତି ହେବ । ସିଂହାସନର ଆମ୍ଭେ ଯୋଗ୍ୟ କି ଆମ୍ଭର ବିପକ୍ଷ ଯୋଗ୍ୟ, ଏ ବିଷୟର ନିଷ୍ପତ୍ତି ତରବାରି ବିନା ଆଉ କେହି କରିପାରିବ ନାହିଁ ।’’ ସିଫ୍ରେଡି ଅଧିକ କହିବାକୁ ସାହାସୀ ହେଲେ ନାହିଁ । ବଦ୍ଧାଞ୍ଜଳିପୁଟରେ ନିଜ ଜାମାତାଙ୍କର କାରାମୋଚନ ପ୍ରାର୍ଥନା କଲେ । ହେନରି କହିଲେ, ‘‘ତୁମ୍ଭେ ସ୍ୱଦୁର୍ଗକୁ ଫେରିଯାଅ । ତୁମ୍ଭର ଜାମାତା ତୁମ୍ଭ ପଛେ ପଛେ ଯିବେ ।’’ ସିଫ୍ରେଡି ସ୍ୱଦୁର୍ଗକୁ ଗମନ କଲେ । ବିଚାରିଲେ, ପିଡ୍ରୋ ଅବଶ୍ୟ ତାଙ୍କୁ ବାଟରେ ଭେଟିବେ । ମାତ୍ର ଏଥିରେ ଭଗ୍ନାଶ ହେଲେ, କାରଣ ହେନରି ସେହି ରାତିରେ ମାଟିଲ୍‌ଡା ନିକଟକୁ ଯିବେ ବୋଲି ସଂକଳ୍ପ କରିଥିଲେ । ସୁତରାଂ ତହିଁ ଆରଦିନ ପିଡ୍ରୋର କାରାମୋଚନ କରିବା ସମୁଚିତ ମଣିଲେ ।

ଏଣେ କାରାବଦ୍ଧ ହେଲାଦିନୁ ପିଡ୍ରୋଙ୍କ ଦୁଃଖର ଇୟତ୍ତା ନାହିଁ । ହେନରି ଏପରି ଅନ୍ୟାୟ ଆଚରଣରେ ସେ ଯତ୍ପରୋନାସ୍ତି କ୍ରୁଦ୍ଧ ହେଲେ । ପ୍ରତିବିଧିତ୍ସା ତାଙ୍କୁ ଅସ୍ଥିର କଲା । ରଜନୀରେ ହେନରି ଅବଶ୍ୟ ମାଟିଲ୍‌ଡା ନିକଟକୁ ଯିବେ, ଏହି ବିତର୍କ କରି ସେ ଉଭୟଙ୍କୁ ଏକତ୍ର ଭେଟି ସମୁଚିତ ଦଣ୍ଡ ପ୍ରଦାନ କରିବାକୁ ଅତୀବ ଉତ୍ସୁକ ହୋଇ କାରାଧ୍ୟକ୍ଷଙ୍କୁ କିଛି କାଳ ନିମନ୍ତେ ବିଦାୟ ପ୍ରର୍ଥନା କଲେ; ପ୍ରଭାତ ପୂର୍ବରୁ ଫେରିଆସିବାକୁ ଅଙ୍ଗୀକାର କଲେ । କାରାଧ୍ୟକ୍ଷ ପିଡ୍ରୋଙ୍କ ମଙ୍ଗଳାକାଂକ୍ଷୀ ଥିଲେ । ପୂର୍ବରୁ ଶୁଣିଥିଲେ ଯେ, ପିଡ୍ରୋଙ୍କ କାରାମୋଚନ ନିମନ୍ତେ ସିଫ୍ରେଡି ମିନତି କରିବାରୁ ନବନୃପତି ପ୍ରାର୍ଥନାରେ ସମ୍ମତି ଦେଇଅଛନ୍ତି । ସୁତରାଂ ପିଡ୍ରୋଙ୍କୁ ବିଦାୟଦେବାକୁ ଦଣ୍ଡେ ବିଳମ୍ୱ ନ କଲେ । ପିଡ୍ରୋ ବେଲ୍‍ମଣ୍ଟରେ ସେହି ରାତ୍ରିରେ ପହଞ୍ଚି ପାରିବେ, ଏଥିଲାଗି ତାଙ୍କୁ ଗୋଟିଏ ଘୋଡ଼ା ମଧ୍ୟ ଦେଲେ । ପିଡ୍ରୋ ବସ୍ତରରେ ପହଞ୍ଚି ଗୋଟିଏ ବୃକ୍ଷମୂଳରେ, ଘୋଡ଼ାକୁ ବାନ୍ଧି ଦୁର୍ଗମଧ୍ୟରେ ପ୍ରବେଶ କଲେ । ନିଜ ପତ୍ନୀ ମାଟିଲ୍‌ଡାର ଶଯ୍ୟାଗୃହ ପ୍ରାନ୍ତରେ ଆଉ ଗୋଟିଏ ଘର ଥିଲା । ମାଟିଲ୍‌ଡା ରାତ୍ରିରେ କ’ଣ କରିବେ, ଏହା ଦେଖିବା ନିମନ୍ତେ କଥିତ ଗୃହ ମଧ୍ୟରେ ପ୍ରଚ୍ଛନ୍ନ ହୋଇ ରହିଲେ ।

ତେତେବେଳେ ରାତି ସାତଘଡ଼ି । ମାଟିଲ୍‌ଡା ନିଜ ସ୍ୱାମୀର କାରାବରୋଧର କାରଣ ଉତ୍ତମରୂପେ ଜାଣିଥିଲେ। ହେନରି ଏହି ସୁଯୋଗରେ ଅବଶ୍ୟ ତାହାଙ୍କ ସଙ୍ଗରେ ସାକ୍ଷାତ୍‌ କରିବେ, ଏଥିରେ ମାଟିଲ୍‌ଡାଙ୍କ ଦୃଢ଼ ବିଶ୍ୱାସ ହେଲା । ଯେଉଁ ଜଘନ୍ୟ ଆଚରଣ ନିମନ୍ତେ ଆପଣାର ସର୍ବନାଶ ଘଟିଅଛି, ସେଥିପାଇଁ ହେନରିଙ୍କୁ ତିରସ୍କାର କରିବା ନିମନ୍ତେ ତାଙ୍କ ପ୍ରତୀକ୍ଷାରେ ରହିଲେ-। କିଛିକାଳ ଉତ୍ତାରେ ଗୁପ୍ତଦ୍ୱାର ଫିଟିଲା । ହେନରି ଗୃହ ମଧ୍ୟକୁ ଆସିଲେ, ପ୍ରବିଷ୍ଟ ହୋଇ ମାଟିଲ୍ଡ଼ାର ଚରଣ ତଳେ ନିପତିତ ହେଲେ । କହିଲେ, ‘‘ମାଟିଲ୍‌ଡା ! ମୋର ବାକ୍ୟାବସାନ ନୋହୁଣୁ ମୋତେ ତିରସ୍କାର କରିବ ନାହିଁ । ମୁଁ ପିଡ୍ରୋକୁ ଅନ୍ୟାୟରେ କାରାରୁଦ୍ଧ କରିଅଛି ସତ୍ୟ, ମାତ୍ର ମୋର ନିର୍ଦୋଷତା ପ୍ରମାଣ କରିବାର ଉପାୟାନ୍ତର ନ ଥିବାରୁ ମୁ୍ଁ ଏପରି କରିବାକୁ ବାଧ୍ୟ ହୋଇଅଛି । ସେଥିରେ ଯଦି କୌଣସି ଅପରାଧ ହୁଏ, ସେ ଅପରାଧ ତୁମ୍ଭର । କାଲି ତୁମ୍ଭର ସ୍ୱାମୀ କାରାମୁକ୍ତ ହେବେ, ଆଉ ତୁମ୍ଭ ସଙ୍ଗେ ଏ ଜୀବନରେ ଦେଖା ହେବ ନାହିଁ । ତୁମ୍ଭଙ୍କୁ ପାଇବା ବିଷୟରେ ନିରାଶ ହେବାରୁ ମୋର ଯାବଜ୍ଜୀବନ ସୁଖଭୋଗ ଆଶା ଅନ୍ତରିତ ହୋଇଅଛି । ମାତ୍ର ଏହି ଅପ୍ରୀତିକାର୍ଯ୍ୟ ଦୁର୍ଘଟନା ମୋର ବିଶ୍ୱାସଘାତକତାଜନିତ ନୁହେ, ଏହା ମାତ୍ର ତୁମ୍ଭର ହୃଦୟଙ୍ଗମ ହେଲେ ମୁଁ ସନ୍ତୁଷ୍ଟ ହେବି । ମୁ୍ଁ ଡିଏନାର ପାଣିଗ୍ରହଣ କରିବି ବୋଲି ଅଙ୍ଗୀକାର କରିଥିଲି; ମାତ୍ର ତୁମ୍ଭ ପିତାଙ୍କର କୌଶଳ ହେତୁରୁ ସେ ପ୍ରକାର ଅଙ୍ଗୀକାର ଅପରିହାର୍ଯ୍ୟରୂପେ ଆବଶ୍ୟକ ହୋଇଥିଲା । ମୁଁ ଡିଏନାକୁ ପ୍ରତାରିତ କରିବା ଅଭିପ୍ରାୟରେ ଏପରି କରିଥିଲି । ମୋର ଆଶା-ଲତା ଫଳବତୀ ହେବ ବୋଲି ମନେ ମନେ ଆପଣାକୁ ଶ୍ଳାଘ୍ୟ ଏବଂ ସୁଭଗ ମଣୁଥିଲି । ପରେ ଯାହା କର୍ତ୍ତବ୍ୟ ତାହା ମଧ୍ୟ ବିଚାରିଥିଲି । ଅନ୍ତରରେ ଯେପରି କଳ୍ପନା କରିଥିଲି, ତାହା କଦାପି ବିଫଳ ହୁଅନ୍ତା ନାହିଁ । ମାତ୍ର ଆଶା ସମୂଳରେ ଉତ୍ପାଟିତ ହେଲା । କାହିଁ ପରିଣୟ ସୂତ୍ରରେ ବଦ୍ଧ ହୋଇ ଆନନ୍ଦର ପରକାଷ୍ଠା ଲଭିବ, ନା ଏକାବେଳକେ ଦୁଃଖାର୍ଣ୍ଣବରେ ନିମଗ୍ନ ହେବାକୁ ହେଲା । ମାଟିଲ୍ଡ଼ା ! ଏଥିରୁ ଆଉ ଅଧିକ ଶୋଚନୀୟ କ’ଣ ହୋଇପାରେ ?’’

ଏହା କହି ହେନରି ନୀରବ ହେଲେ । ତଦୀୟ ମୁଖରେ ଆନ୍ତରିକ ଦୁଃଖ ବିଶେଷରୂପେ ପ୍ରକଟିତ ହେଲା । ମାଟିଲ୍‌ଡା ବାହ୍ୟାବଲୋକନଦ୍ୱାରା ତାଙ୍କର ଦୁର୍ବହ ଶୋକଭାର ବୁଝି ପାରିଲେ । ଆଉ ତାଙ୍କର ହେନରିଙ୍କ ନିର୍ଦୋଷତା ବିଷୟରେ ସନ୍ଦେହ ନ ରହିଲା । ମାଟିଲ୍‌ଡା ଦୀର୍ଘନିଃଶ୍ୱାସ ସହକାରେ କହିଲେ, ‘‘ମହାରାଜ ! ମୋ ଅଦୃଷ୍ଟରେ ଯାହା ଘଟିବାର ଥିଲା, ତାହା ତ ଘଟିଅଛି; ଆଉ ମୋତେ କିପାଇଁ ଅଧିକ କଷ୍ଟ ଦେଉଅଛନ୍ତି ? ଆପଣ ଦୋଷୀ ନୁହଁନ୍ତି, ଏହା ଜାଣି ମୁଁ ଅଧିକତର କାତର ହେଉଅଛି । ହା ଦୁର୍ଦୈବ ! ମୁଁ କ’ଣ କଲି ! କ୍ରୋଧାତିଶଯ୍ୟହେତୁରୁ କିଂକର୍ତ୍ତବ୍ୟବିମୂଢ଼ ହୋଇ କି ବିଷମ ଭ୍ରାନ୍ତିରେ ପଡ଼ିଲି ! ଦୁହିଁଙ୍କର ଯେଡ଼େ କଷ୍ଟ ତାହା ହେଲା; ମାତ୍ର ଏହି କଷ୍ଟସବୁ କେବଳ ହତଭାଗିନୀ ମାଟିଲ୍‌ଡା ଦୋଷରୁ ସମୁତ୍ପନ୍ନ । ମହାରାଜ ! ଆପଣଙ୍କୁ ହୃଦୟର ଏକମାତ୍ର ଅଧୀଶ୍ୱର ମଣି ପୂର୍ବରୁ ଯେଉଁ ଶୃଙ୍ଖଳରେ ବଦ୍ଧ ଥିଲି, ଯେଉଁ ଶୃଙ୍ଖଳ ସର୍ବଦା ଅବିଚ୍ଛିନ୍ନ ରହିବା ନିମନ୍ତେ ଈଶ୍ୱରଙ୍କଠାରେ ବାରମ୍ବାର ପ୍ରାର୍ଥନା କରିଅଛି, ତାହା ଦୈବଦୁର୍ବିପାକରୁ ଛିନ୍ନ ହେଲା । ମହାରାଜଙ୍କୁ କେତେ ଭର୍ତ୍ସନା କରିଅଛି, କେତେ ଅଭିଶାପ ଦେଇଅଛି, ସେଥିରେ ପ୍ରତିବିଧାନ କରିବା ହେଉନ୍ତୁ । ମହାରାଜ ! ହତଭାଗିନୀକୁ ସ୍ମୃତିପଥରୁ-।’’ ରାଜକୁମାରଙ୍କ ମୁଖପଦ୍ମ ଶୁଷ୍କ ହୋଇଗଲା । କହିଲେ, ମାଟିଲ୍‌ଡା ! ତାହା କି ମୋର ସାଧ୍ୟ ଅଟେ ? ତୁମ୍ଭେ ଦୁର୍ଭାଗ୍ୟ ହେନରିଠାରେ ବିମୁଖ ହେଲେ ସୁଦ୍ଧା ସେ ଯେଉଁ ବୃତ୍ତିକୁ ହୃଦୟରୁ ଦୂର କରିପାରୁ ନାହିଁ, ସେ ବୃତ୍ତି ହୃଦୟରୁ କିପରି ବିଚ୍ଛିନ୍ନ କରିବି ? ତୁମ୍ଭେ କି ସ୍ୱୟଂ ତାହା କରିବାକୁ ସମର୍ଥ ଅଟ ?’’ ମାଟିଲ୍‌ଡା କହଲେ, ‘‘କିଏ ଜାଣେ, ମୋର ଏତେ ଦୃଢ଼ ପ୍ରତିଜ୍ଞତା ରହିବ ତଥାପି ଅଭିପ୍ରେତ ସିଦ୍ଧି ନିମନ୍ତେ ଯେଡ଼େ କଷ୍ଟ ସ୍ୱୀକାର କରିବାକୁ ହେଉ, ଅବଶ୍ୟ ସ୍ୱୀକାର କରିବି ।’’ ହେନରି କହିଲେ, ‘‘ଅୟି ନିର୍ଦ୍ଦୟେ ! ତୁମ୍ଭେ ଏପରି ଦୃଢ଼ତା ସହିତ ଏପରି କଷ୍ଟପ୍ରଦ କଳ୍ପନାକୁ ହୃଦୟରେ ସ୍ଥାନ ଦେଇପାର, ତେବେ ଅନାୟାସରେ ହତଭାଗ୍ୟ ହେନେରିକୁ ପାସୋରିପାରିବ ।’’ ଏହା ଶୁଣି ମାଟିଲ୍‌ଡା ଦୃଢ଼ପ୍ରତିଜ୍ଞତାସୂଚକ ସ୍ୱରରେ କହିଲେ, ‘‘ତେବେ ଆାପଣଙ୍କ ହୃଦୟ କି ବିଚାରୁଅଛି ? ଆପଣଙ୍କ ପ୍ରାର୍ଥନାର ବଶୀଭୂତ ହେବି ବୋଲି କି ଆପଣ ମନେ କରୁଅଛନ୍ତି ? ଏପରି ଅସତ୍‌ ଚିନ୍ତାକୁ ହୃଦୟରୁ ଦୂର କରନ୍ତୁ । ମୁଁ ରାଜେଶ୍ୱରୀ ହେବାର ଯୋଗ୍ୟ ନୁହେଁ ସତ୍ୟ, ମାତ୍ର ଏପରି ଅସତ୍‌ମାର୍ଗରେ ପଦାର୍ପଣ କରିବାକୁ ଈଶ୍ୱର ମୋତେ ସୃଷ୍ଟି କରିନାହାନ୍ତି । ମୁଁ ଏଡ଼େ ଅଧମ ନୁହେଁ । ସମ୍ପ୍ରତି ମୋହର ପ୍ରାର୍ଥନା ଏହି, ଆପଣ ଏଠାରେ ଅଧିକ କ୍ଷଣ ନ ରହନ୍ତୁ । ଆପଣଙ୍କୁ ହତଭାଗିନୀ ବିଦାୟ ଦେଉଅଛି-। ଇହ-ଜୀବନରେ ଆଉ ଦେଖା ହେବ ନାହିଁ ।’’ ହେନରି ବିସ୍ମିତ ହୋଇ କହିଲେ, ‘‘କି ଆଶ୍ଚର୍ଯ୍ୟ ! ତୁମ୍ଭେ କାହିଁକି ଏପରି ନିଷ୍ଠୁରା ହେଉଅଛ ? ମୋ ହୃଦୟ ଯେପରି ଯନ୍ତ୍ରଣା ଭୋଗ କରୁଅଛି, ତାହା ଅନ୍ତର୍ଯ୍ୟାମୀ ଜାଣନ୍ତି, ସେଥିରେ ପୁଣି ତୁମ୍ଭେ ମୋତେ ଦର୍ଶନସୁଖରୁ ବଞ୍ଚିତ କରିବାକୁ ଉଦ୍ୟତା ହେଲ !’’ ମାଟିଲ୍ଡ଼ାଙ୍କ ନୟନଦ୍ୱୟରୁ ଅଶ୍ରୁ ବିଗଳିତ ହେଲା । ଗଦ୍‍ଗଦ ସ୍ୱରରେ କହିଲେ, ‘‘ମହାରାଜ ! ବିଦାୟ ହେଉନ୍ତୁ । ଯେଉଁ ପ୍ରଣୟରେ ଅଧିକାର ନାହିଁ, ସେଥିରେ ଭାବନା କେବଳ କଷ୍ଟକର ଅଟେ । ମହାରାଜ ! ଏହି ଶେଷ ଦର୍ଶନ । ହତଭାଗିନୀର ନାମ ସୁଦ୍ଧା ଚିତ୍ତପଟକୁ ପୋଛି ଦେଉନ୍ତୁ । ମୋ ଚରିତ୍ରରେ କଳଙ୍କ ନ ହେଉ । ମାନସିକ ଶାନ୍ତି ଅନୁରୋଧରେ ମୁଁ ପ୍ରାର୍ଥନା କରୁଅଛି, ଆପଣ ଶୀଘ୍ର ଯାଉନ୍ତୁ । ଅସତ୍‌ ଅଭିସନ୍ଧି ଅନୁସାରେ କାର୍ଯ୍ୟ କରିବା ବିଷୟରେ ଧର୍ମଜ୍ଞାନ ମହାନ୍‌ ପ୍ରତିବନ୍ଧକ ଥିଲେହେଁ ଆପଣଙ୍କର ପୂର୍ବ ପ୍ରେମ ସ୍ମରଣ କରି ହୃଦୟ କେତେ କେତେ ବେଳେ ଏଡ଼େ ଅସ୍ଥିର ହୁଏ ଯେ, ସେହି ଦୁର୍ବିସହ ଯାତନା ସହ୍ୟ କରିବା ଅବଳାମାନଙ୍କ କୋମଳ ଚିତ୍ତବୃତ୍ତିରେ କ୍ଷମତାକୁ ଅତିକ୍ରମ କରେ ।’’

ମାଟିଲ୍ଡ଼ା ଏହିପରି କହୁଅଛନ୍ତି, ଏମନ୍ତ ସମୟରେ ପ୍ରଦୀପ ହଠାତ୍‌ ନିଭିଗଲା । ମାଟିଲ୍‌ଡା ପ୍ରକୋଷ୍ଠାନ୍ତରରୁ ଆଲୁଅ ଆଣିବା ନିମନ୍ତେ ଦୁଆର ଫିଟାଇ ଗଲେ । ଏହି ଅବସରରେ ପିଡ୍ରୋ ବୈରସାଧନ ବାସନାରେ ମାଟିଲ୍‌ଡା ଶଯ୍ୟାଗୃହରେ ସଶସ୍ତ୍ର ପ୍ରବିଷ୍ଟ ହେଲେ । ଆଲୋକ ଶୀଘ୍ର ଆନୀତ ହେଲା । ପିଡ୍ରୋ ହେନରିଙ୍କୁ ଦେଖି କ୍ରୋଧରେ ଅସ୍ଥିର ହେଲେ । ହେନରି ନିକଟକୁ ଯାଇ କହିଲେ, ‘‘ରେ ଦୁରାଚାର ! ତୁ ମୋର ସମ୍ଭ୍ରମହାନି ନିମନ୍ତେ ଯଥାଶକ୍ତି ଯତ୍ନ କରିଅଛୁ । ମୁଁ ଅନାୟାସରେ ଏତେ ଉପଦ୍ରବ ସହି ରହିବି; ମୁଁ ଏପରି ସାହସହୀନ ଏବଂ ନିର୍ବୀର୍ଯ୍ୟ ନୁହେ ।’’ ହେନରି କୁପିତ ହୋଇ ଉତ୍ତର କଲେ, ‘‘ନରାଧମ ! ରହ, ଏହାର ସମୁଚିତ ଦଣ୍ଡବିଧାନ କରୁଅଛି । ପ୍ରାଣର ଆଶା ପରିତ୍ୟାଗ କର ।’’ ଏହା କହି ତରବାରି ନିଷ୍କାସିତ କଲେ । ଦୁହେଁ କ୍ରେଧାନ୍ଧ ହୋଇ ପରସ୍ପର ପ୍ରତି ଆଘାତ କରିବାକୁ ଲାଗିଲେ । ମାଟିଲ୍ଡ଼ା ଭୀତ ହୋଇ ଚିତ୍କାର କରିବାକୁ ଲାଗିଲେ । ସଂଗ୍ରାମ ବହୁକ୍ଷଣ ବ୍ୟାପିଲା ନାହିଁ । ପିଡ୍ରୋ ଆଗପଛ ନ ବିଚାରି ହେନରିଙ୍କୁ ଆକ୍ରମଣ କରିବା ନିମନ୍ତେ ପ୍ରୟାସୀ ହେବାରୁ ହେନରିଙ୍କ କରବାଳ ତାଙ୍କ ହୃଦୟରେ ବିଦ୍ଧ ହେଲା । ସେ ଧରାଶାୟୀ ହେଲେ । ପ୍ରବଳ ବେଗରେ ଶୋଣିତସ୍ରୋତ ବହିବାକୁ ଲାଗିଲା ।

ମାଟିଲ୍‌ଡା ସ୍ୱାମୀର ଶୋଚନୀୟ ଅବସ୍ଥା ଦେଖି ଅତ୍ୟନ୍ତ ଶୋକାକୁଳ ହେଲେ । ସ୍ୱାମୀଙ୍କୁ ସାହାଯ୍ୟ ଦେବା ନିମନ୍ତେ ଯତ୍ନ କଲେ । ମାତ୍ର ମାଟିଲ୍‌ଡା ଆନ୍ତରିକ ଶୋକର ଏପରି ପ୍ରମାଣ ଦେଖାଇଲେ ସୁଦ୍ଧା ପିଡ୍ରୋ ସେଥିରେ କିଛିମାତ୍ର ବିଶ୍ୱାସ ନ କରି ଅଧିକତର କୋପାବିଷ୍ଟ ହେଲେ । ମୃତ୍ୟୁ ଯାତନା ଉପସ୍ଥିତି, ତଥାପି ଏପରି ସମୟରେ ସୁଦ୍ଧା କୋପର ଆଧିକ୍ୟ ହେତୁରୁ ଉନ୍ମତ୍ତ ହେଲେ । ପରମ ବୈରୀ ହେନରିର ଅଭୀଷ୍ଟ ସଫଳ ହେଲା, କେବଳ ଏହି ଚିନ୍ତାରେ ଅଧୈର୍ଯ୍ୟ ହେଲେ । ନିତାନ୍ତ ଅଧୀର ହୋଇ ହସ୍ତଧୃତ କରବାଳ ସମୀପବର୍ତ୍ତିନୀ ମାଟିଲ୍‌ଡାଙ୍କ ସୁକୁମାର ବକ୍ଷରେ ବିଦ୍ଧ କରି କହିଲେ, ‘‘ପାପିୟସି ! ବିଶ୍ୱାସଘାତକତାର ଦଣ୍ଡ ଗ୍ରହଣ କର ।’’ ପୁଣି ହେନରି ଆଡ଼କୁ ଅନାଇ କହିଲେ, ‘‘ରେ ନରାଧମ ! ଆଉ ଗର୍ବ କରିବୁ ନାହିଁ । ତୋର ଚିରକାଳର ଆଶା ଉନ୍ମୂଳିତ ହେଲା । ମୋହର ଏ ସୁଖ ମରଣ ।’’ ଏହିପରି କହୁଁ କହୁଁ ବାକ୍‌ଶକ୍ତି ରହିତହେଲା ଏବଂ ଶେଷ ନିଃଶ୍ୱାସ ପରିତ୍ୟାଗ କଲେ । ପ୍ରାଣତ୍ୟାଗ ଉତ୍ତାରେ ପିଡ୍ରୋର ବଦନ ବିବର୍ଣ୍ଣ ହୋଇଗଲା; କିନ୍ତୁ ବିବର୍ଣ୍ଣ ହେଲେ ସୁଦ୍ଧା ଭୟଙ୍କର ଦିଶିଲା । ମାଟିଲ୍‌ଡା ଯେଉଁ ଆଘାତ ପାଇଥିଲେ, ସେଥିରୁ ନିଷ୍କୃତି ପାଇଲେ ନାହିଁ । ସୁନ୍ଦରୀଙ୍କ ବକ୍ଷସ୍ଥଳରୁ ରକ୍ତ-ପ୍ରବାହ ନିର୍ଗତ ହୋଇ ପିଡ୍ରୋରକ୍ତ ସଙ୍ଗରେ ମିଶିଲା । ରାଜା ଅନେକ ଯତ୍ନକଲେ; କିଛି କରିପାରିଲେ ନାହିଁ ।

ପ୍ରବଳ ବାତ୍ୟାଯୋଗରୁ ଅରଣ୍ୟପ୍ରତିଷ୍ଠିତ ପ୍ରତିମା ଯେପରି ଭୂପତିତ ହୁଏ, ମାଟିଲ୍‍ଡ଼ା ଅସ୍ଥିର ହୋଇ ନିଜ ସ୍ୱାମୀ ଶରୀର ଉପରେ ପତିତ ହେଲେ । ହେନରି ଆର୍ତ୍ତନାଦ କରିବାକୁ ଲଗିଲେ । ମାଟିଲ୍‌ଡାଙ୍କ ଆନନଶ୍ରୀ ବିମଳିନ ହୋଇଗଲା । ହୀରକନିନ୍ଦିତ ନୟନଦ୍ୱୟରୁ ଅଶ୍ରୁ ବିଗଳିତ ହୋଇ ରକ୍ତ ସଙ୍ଗରେ ମିଶ୍ରିତ ହେଲା । କାମିନୀ ମରଣ ସମୟରେ ହେନରିଙ୍କୁ ସମ୍ବୋଧନ କର କହିଲେ, ‘‘ମହାରାଜ ! ଆପଣଙ୍କ ପ୍ରୟାସ ନିଷ୍ଫଳ । ଦଗ୍ଧ ଅଦୃଷ୍ଟରେ ଯାହା ଲେଖାଥିଲା, ତାହା ଘଟିଲା । ମୁଁ ମରଣ ସମୟରେ ଜଗଦୀଶ୍ୱରଙ୍କୁ ପ୍ରାର୍ଥନା କରୁଅଛି, ଈଶ୍ୱର ମୋର ଅପରାଧସମୂହ ମାର୍ଜ୍ଜନା କରନ୍ତୁ ।’’ ରମଣୀ ଯେଉଁ ସମୟରେ ଏପରି କହିଲେ, ହେନରି ଉଚ୍ଚୈସ୍ୱରରେ ରୋଦନ କରିବାକୁ ଲାଗିଲେ । ସେହି ରୋଦନ ନାଦରେ ସିଫ୍ରେଡି ଜାଗରିତ ହୋଇ ସେଠାକୁ ଦୌଡ଼ିଆସିଲେ । ଦେଖିଲେ, ପିଡ୍ରୋ ଗତପ୍ରାଣ, ମାଟିଲ୍‍ଡ଼ା ଆସନ୍ନମରଣା, ହେନରି ହତାଶ ହୋଇ ହା ହା କରୁଅଛନ୍ତି । ଏ ସମସ୍ତ ଦେଖି ସିଫ୍ରେଡିଙ୍କ ମସ୍ତକରେ ବଜ୍ର ଭାଙ୍ଗିପଡ଼ିଲା ! କାଷ୍ଠ ପ୍ରତିମା ପ୍ରାୟ ନୀରବ ନିଶ୍ଚେଷ୍ଟ ହୋଇ ଅନାଇ ରହିଲେ । ମାଟିଲ୍‍ଡ଼ା ପିତାଙ୍କ ଉପସ୍ଥିତି କିଛି ମାତ୍ର ନ ଜାଣି ପୂର୍ବବତ୍‌ ହେନରିଙ୍କୁ କହିଲେ, ‘‘ହେନରି ! ବିଦାୟ ଦିଅ, ତୁମ୍ଭଙ୍କୁ ହୃଦୟର ଅଧୀଶ୍ୱର ମଣିଥିଲି, ଏହା ମନେ ରଖିବ । ପିତାଙ୍କର କୌଣସି ଦୋଷ ନାହିଁ; ସେ ଏବେ ବୃଦ୍ଧ ହୋଇଅଛନ୍ତି, ତାଙ୍କୁ ସାନ୍ତ୍ୱନା ଦେଉଥିବ । ତାଙ୍କୁ ଆହୁରି କହିବ ଯେ, ତାଙ୍କର ହତଭାଗିନୀ କନ୍ୟା ନିଜ ଚରିତ୍ରରେ କଳଙ୍କ ଅର୍ପଣ କରିନାହିଁ । ସବୁଠାରୁ ସେହି ବିଷୟରେ ମୋହର ବିଶେଷ ଆଗ୍ରହ । ବିଦାୟ ଦିଅ । ମୋର ମୃତ୍ୟୁ ଉପସ୍ଥିତ ।’’ ସ୍ୱର ରୁଦ୍ଧହେଲା । ହେନରି ଚିତ୍ରାର୍ପିତ ପ୍ରାୟ ବସି ରହିଲେ । ଅବଶେଷରେ କହିଲେ, ‘‘ସିଫ୍ରେଡି ! ଦେଖ, ତୁମ୍ଭର ଦୃଷ୍ଟ ପ୍ରୟାସର କି ଶୋଚନୀୟ ଫଳ ଫଳିଲା !’’ ବୃଦ୍ଧ ଆଉ କ’ଣ କହିବେ, ଜଡ଼ ପ୍ରାୟ ଅନାଇ ରହିଲେ । ତାଙ୍କର ହୃଦୟଭାବ ବର୍ଣ୍ଣିବା ଲେଖନୀର ଅସାଧ୍ୟ । ସିଫ୍ରେଡି ଶୋକରେ ଏପରି ଅଭିଭୂତ ହେଲେ ଯେ, ଅଳ୍ପ ଦିନ ମଧ୍ୟରେ ସେ ମାନବଲୀଳା ସମ୍ବରଣ କଲେ । ହେନରି ଯାବଜ୍ଜୀବନ ଅବିବାହିତ ରହିଲେ; ନିତ୍ୟ ନିଜ ହୃଦୟପ୍ରଣୟିନୀଙ୍କୁ ସ୍ମରଣ କରି ଶୋକରେ ଜୀବନ ଅତିବାହିତ କଲେ ।

Image